ନୂଆଦିଲ୍ଲୀ,୨୮/୦୨: ଅର୍ଥ ସଚିବ  ତୁହିନ କାନ୍ତ ପାଣ୍ଡେ ଭାରତୀୟ ପ୍ରତିଭୂତି  ଏବଂ ବିନିମୟ ବୋର୍ଡ (ସେବି)ର ନୂଆ  ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି ।  କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି  ଶ୍ରୀ ପାଣ୍ଡେଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ  କରିଛି । ସେ ଏବେ ଅର୍ଥ ସଚିବ ଭାବେ କାର୍ଯ୍ୟକରୁଛନ୍ତି । ସେବି ମୁଖ୍ୟ ଭାବେ ସେ  ମାଧବୀ ପୁରୀ ବୁଚ୍‌ଙ୍କ ସ୍ଥାନରେ କାର୍ଯ୍ୟ  କରିବେ । ଆଗାମୀ ୩ ବର୍ଷ ଲାଗି  ତାଙ୍କୁ ଏହି ପଦବୀରେ ଅବସ୍ଥାପିତ  କରାଯାଇଛି । ଶ୍ରୀ ପାଣ୍ଡେ ୧୯୮୭  ବ୍ୟାଚ୍‌ ଓଡ଼ିଶା କ୍ୟାଡର ଅଧିକାରୀ । ଅର୍ଥ ସଚିବ ପୂର୍ବରୁ ସେ ନିବେଶ  ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା  (ଦୀପମ) ବିଭାଗ ଏବଂ ରାଜସ୍ୱ  ବିଭାଗ ସଚିବ ଭଳି ଗୁରୁତ୍ୱପୂର୍ଣ୍ଣ  ପଦପଦବୀରେ କାର୍ଯ୍ୟ କରିଥିଲେ ।

ତୁହିନ୍ ପାଣ୍ଡେ କିଏ?

ତୁହିନ କାନ୍ତ ପାଣ୍ଡେ ମୋଦି ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି। ତୁହିନ୍ ପାଣ୍ଡେ ପୂର୍ବରୁ ଦୀପମ (ନିବେଶ  ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା)ର ସଚିବ ଥିଲେ, କିନ୍ତୁ ଅଲି ରାଜା ରିଜଭିଙ୍କ ଅବସର ପରେ ତାଙ୍କୁ DPE (ସାର୍ବଜନୀନ ଉଦ୍ୟୋଗ ବିଭାଗ)ର ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ଶ୍ରୀ କାନ୍ତଙ୍କୁୁ ଅର୍ଥ ମନ୍ତ୍ରଣାଳୟରେ ଅର୍ଥ ସଚିବ ଭାବରେ ନିଯୁକ୍ତ କରାଯାଇଥିଲା।

ଜାଣନ୍ତୁ କେତେ ଦରମା ପାଇବେ

ସେବି ମୁଖ୍ୟ ପଦବୀ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦାୟିତ୍ୱପୂର୍ଣ୍ଣ ଚାକିରି। କାରଣ ଏବେ ସେମାନଙ୍କୁ ଷ୍ଟକ୍ ବଜାରର ତଦାରଖ କରିବାକୁ ପଡିବ। ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା କରିବା ମଧ୍ୟ ତାଙ୍କର ଦାୟିତ୍ୱ ହେବ। ତୁହିନ୍ ପାଣ୍ଡେଙ୍କୁ ସେବିର ମୁଖ୍ୟ କରାଯାଇଛି। ଯେତେବେଳେ ବଜାର ଏକ ବଡ଼ ମାନ୍ଦାବସ୍ଥା ଦେଇ ଗତି କରୁଛି ଏବଂ ନିବେଶକଙ୍କ କୋଟି କୋଟି ଟଙ୍କା କ୍ଷତି ହୋଇଛି। ଏପରି ପରିସ୍ଥିତିରେ ତୁହିନ୍ ପାଣ୍ଡେଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ  ହେବ। ସେବି ମୁଖ୍ୟ ପଦବୀ ପାଇଁ ତୁହିନ ପାଣ୍ଡେଙ୍କୁ ଭାରତ ସରକାରଙ୍କ ସଚିବଙ୍କ ସମାନ ଦରମା ପାଇବେ। ଘର ଏବଂ ଗାଡ଼ି ବିନା ଏହି ଦରମା ମାସିକ ୫,୬୨,୫୦୦ ଟଙ୍କା ରହିବ।