ଭୁବନେଶ୍ବର, ୨୬।୧୧ : ଆମ୍ବ ଟାକୁଆ ଜାଉ ଖାଇ ଅସୁସ୍ଥ ହୋଇ କନ୍ଧମାଳ ଜିଲ୍ଲା ମଣ୍ଡିପଙ୍କା ଗାଁ ରୁ ଆସିଥିବା ଟୁନି ମାଝି ମଙ୍ଗଳବାର ଏସିସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି। ଦୀର୍ଘ ୨୪ ଦିନ କାଳ ଏସିସିବି ମେଡିକାଲର ମେଡିସିନ ଆଇସିୟୁରେ ରହି ଚିକିତ୍ସା ହେବା ପରେ ମଙ୍ଗଳବାର ସୁସ୍ଥ ହୋଇ ନିଜ ଗାଁକୁ ଫେରିଛନ୍ତି।
ଗତ ତିନି ତାରିଖରେ ଜିତା ମାଝୀ ଓ ଟୁନି ମାଝୀ ଆମ୍ବ ଟାକୁଆ ଖାଇ ଅସୁସ୍ଥ ହେବା ପରେ ପ୍ରଥମେ ବ୍ରହ୍ମପୁର ମେଡ଼ିକାଲ ପରେ କଟକ ଏସିସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟଙ୍କ କିଡନୀ ଓ ଲିଭର୍ କାମ କରୁ ନଥିଲା। ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ଜୀତାଙ୍କର ୧୦ ଥର ଡାଏଲେସିସି ଓ ଟୁନିଙ୍କର ୫ ଥର ଡାଏଲେସିସି କରିଥିଲେ। ହେଲେ ଗତ ୧୮ ତାରିଖରେ ଜିତାଙ୍କର ମୃତ୍ୟୁ ହୋଇଥିଲା । ଆଜି ସୁସ୍ଥ ଅବସ୍ଥାରେ ଟୁନି ଏସିସିବି ମେଡିକାଲରୁ ନିଜ ଘରକୁ ଫେରିଛନ୍ତି।ତେବେ ସୁସ୍ଥ ହେବା ପରେ ଚିକିତ୍ସା କରୁଥିବା ଡ଼ାକ୍ତରଙ୍କୁ ଟୁନି ଓ ତାଙ୍କ ପରିବାର ଧନ୍ୟବାଦ୍ ଜଣାଇଛନ୍ତି।