ନୁଆଦିଲ୍ଲୀ: ଅଙ୍କାରାରେ ଥିବା ତୁର୍କୀ ବିମାନ ନିର୍ମାଣ କମ୍ପାନିରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ୪ ଜଣଙ୍କ ମତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିବା ନେଇ ଦେଶର ଗୃହମନ୍ତ୍ରୀ ଅଲି ୟେର୍ଲିକାୟା କହିଛନ୍ତି । ଏନେଇ ଏକ୍ସରେ ସୂଚନା ଦେବା ସହ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି ସେ କହିଛନ୍ତି । ତୁର୍କୀର ବିମାନ ନିର୍ମାଣ କମ୍ପାନି (ଟିୟୁଏସ୍‌ଏଏସ୍‌)ରେ ବୁଧବାର ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ସହ ଗୁଳିମାଡ଼ ଶୁଣିବାକୁ ମିଳିଥିଲା ।

 ଟ୍ୟାକ୍ସି ସାହାଯ୍ୟରେ କମ୍ପାନି ନିକଟରେ ଦଳେ ବନ୍ଧୁକଧାରୀ ପହଞ୍ଚିଥିବା ନେଇ ସିସିଟିଭି ଫୁଟେଜ୍‌ ଭାଇରାଲ୍‌ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ କେବଳ ବୋମା ମାଡ଼ କରିଥିଲା । ଅନ୍ୟମାନେ ଆଖିବୁଜା ଗୁଳି ମାଡ଼ କରିଥିବା ନେଇ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳିଛି । ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ଜଣେ ମହିଳା କମ୍ପାନି ଭିତରେ ପଶିଥିଲେ । 

 ସେପଟେ କମ୍ପାନି ଭିତରେ ଥିବା ସୁରକ୍ଷା କର୍ମୀଙ୍କୁ ବନ୍ଧୁକାଧାରୀମାନେ ଅଟକ ରଖି ଦେଇଥିଲେ ବୋଲି କୁହାଯାଉଛି । ତେବେ ଏହି ଆକ୍ରମଣ ପଛର କାରଣ କଣ ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଅନ୍ୟପଟେ ଘଟଣାସ୍ଥଳରେ ଜରୁରି ସେବା ଟିମ୍‌, ଆମ୍ବୁଲାନ୍ସ ଏବଂ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । 

 ଟିୟୁଏସ୍‌ଏଏସ୍‌ ସରକାରଙ୍କ ଦ୍ବାରା ପରିଚାଳିତ ବିମାନ ନିର୍ମାଣ ଇଣ୍ଡଷ୍ଟ୍ରି ।  ଏହା ଉଭୟ ବାଣିଜ୍ୟିକ ଏବଂ ମିଲିଟାରି ଏୟାରକ୍ରାଫ୍ଟ ନିର୍ମାଣ କରିଥାଏ ।  ମାନବ ରହିତ ଗାଡ଼ି ଏବଂ ମହାକାଶ ଗବେଷଣା କ୍ଷେତ୍ରରେ ଏହାର ଭୂମିକା ରହିଛି ।  ତୁର୍କୀର ପ୍ରଥମ କମ୍ବାଟ ଏୟାରକ୍ରାଫ୍ଟ KAAN  ମଧ୍ୟ ଟିୟୁଏସ୍‌ଏଏସ୍‌ରେ ତିଆରି ହେଉଛି । ଅତୀତରେ ଏହି କମ୍ପାନିକୁ ଆତଙ୍କବାଦୀ ଟାର୍ଗେଟ କରିଛନ୍ତି । କୁର୍ଦ୍ଦିଶ ଆତଙ୍କବାଦୀ, ଆଇଏସ୍‌ଆଇଏସ୍‌ ସହଯୋଗୀ ସଂଗଠନ ଏବଂ ଚରମ ବାମପନ୍ଥୀ ସଂଗଠନ ଟିୟୁଏସ୍‌ଏଏସ୍‌ ଉପରେ ଆକ୍ରମଣ କରିଥିବା ନେଇ ଦାୟିତ୍ବ ନେଇଛନ୍ତି ।  ସେପଟେ ତୁର୍କୀରେ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛି ନାଟୋ । ଏହା ସହ ସଦସ୍ୟ ରାଷ୍ଟ୍ରର ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନାଟୋ ପକ୍ଷରୁ କୁହାଯାଇଛି ।