ଚେନ୍ନାଇ,୦୮/୦୫: ତାମିଲନାଡୁରେ ନୂଆ ସରକାର ଗଠନକୁ ନେଇ ଲାଗିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର (୮ ମଇ, ୨୦୨୬) ଟିଭିକେ ମୁଖ୍ୟ ବିଜୟ ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ସୂତ୍ର ଅନୁସାରେ, ବିଜୟ ୧୨୧ ବିଧାୟକଙ୍କ ସମର୍ଥନ ପାଇଛନ୍ତି - ଯାହାକି ସଂଖ୍ୟାଗରିଷ୍ଠତା ପାଇଁ ଯଥେଷ୍ଟ। ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ, ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୧୮।

ଗତ ଦୁଇ ଦିନ ଭିତରେ ତାମିଲନାଡ଼ୁ ରାଜ୍ୟପାଳଙ୍କୁ ବିଜୟ ତିନିଥର ସାକ୍ଷାତ କରିସାରିଲେଣି। ତାଙ୍କର ପୂର୍ବ ସାକ୍ଷାତରେ, ସରକାର ଗଠନ କରିବା ପାଇଁ ଆବଶ୍ୟକ ସଂଖ୍ୟକ ବିଧାୟକଙ୍କ ସମର୍ଥନ ତାଙ୍କ ପାଖରେ ନଥିଲା। ସୂତ୍ର ଅନୁସାରେ, ରାଜ୍ୟପାଳ ତାଙ୍କୁ ଆବଶ୍ୟକୀୟ ବିଧାୟକ ସମର୍ଥନ ହାସଲ କରିବା ପରେ ଆସିବାକୁ କହିଥିଲେ। ତେବେ ବର୍ତ୍ତମାନ ୧୨୧ ବିଧାୟକଙ୍କ ସମର୍ଥନ ସହିତ ଆସନ୍ତାକାଲି ସକାଳ ୧୧:୦୦ ଟାରେ, ଟିଭିକେ ମୁଖ୍ୟ ବିଜୟ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।

ଅଧିକ ପଢ଼ନ୍ତୁ: Tamil Nadu: 'ବିଜୟ ସରକାର' ଗଠନକୁ ନେଇ ବଡ଼ ଖବର, VCK, CPM ଏବଂ CPI TVKକୁ କରିବେ ସମର୍ଥନ

ଟିଭିକେ ମୁଖ୍ୟ ବିଜୟ ୯ ମଇ ସକାଳ ୧୧ଟାରେ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ବିଜୟ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି, ଯେଉଁଥିରେ ତାଙ୍କ ନିଜ ଦଳର ୧୦୭ ବିଧାୟକଙ୍କ ସମର୍ଥନ ଉଲ୍ଲେଖ କରାଯାଇଛି, ଏଥିସହ କଂଗ୍ରେସରୁ ୫ ଜଣ, ସିପିଏମରୁ ୨ ଜଣ, ସିପିଆଇରୁ ୨ ଜଣ, ଭିସିକେରୁ ୨ ଜଣ, ଆଇୟୁଏମଏଲରୁ ୨ ଜଣ ଏବଂ ଏଏମଏମକେରୁ ଜଣେ ବିଧାୟକଙ୍କୁ ମିଶାଇ ମୋଟ ୧୨୧ ଜଣ ବିଧାୟକ ଅଛନ୍ତି। ଏହାର ଅର୍ଥ ହେଉଛି ବିଜୟଙ୍କ ପାଖରେ ତିନି ଜଣ ବିଧାୟକଙ୍କ ଅତିରିକ୍ତ ସଂଖ୍ୟା ସହିତ ବହୁମତ ଅଛି।

ଆହୁରି ପଢ଼ନ୍ତୁ: ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳର ବୈଠକରେ ଲାଗିଲା ମୋହର ...କାଲି ଶପଥ ଗ୍ରହଣ

ତାମିଲନାଡୁରେ, ଡିଏମକେ ନେତୃତ୍ୱାଧୀନ ମେଣ୍ଟର ଅଂଶବିଶେଷ ଉଭୟ ବାମପନ୍ଥୀ ଦଳ ସିପିଆଇ ଏବଂ ସିପିଏମ କହିଛନ୍ତି ଯେ, ଏପରି ସମର୍ଥନ କରିବାର ନିର୍ଣ୍ଣୟ ବିଜେପିକୁ ରାଜ୍ୟରେ ପଛ ଦ୍ୱାର ଦେଇ ପ୍ରବେଶ କରିବାରୁ ରୋକିବା ପାଇଁ ନିଆଯାଇଛି। ତଥାପି, ରାଜ୍ୟ ଅଧିକାର ସମ୍ବନ୍ଧୀୟ ପ୍ରସଙ୍ଗରେ, ସେମାନେ (ବାମପନ୍ଥୀ ଦଳଗୁଡ଼ିକ) ଡିଏମକେ ସହିତ ଠିଆ ହେବେ। ବାମପନ୍ଥୀ ଦଳଗୁଡ଼ିକ ଘୋଷଣା କରିଛନ୍ତି ଯେ ସେମାନେ ଟିଭିକେ କ୍ୟାବିନେଟର ଅଂଶ ହେବେ ନାହିଁ। ସିପିଆଇ ଏବଂ ସିପିଏମ ଉଭୟଙ୍କର ପ୍ରତ୍ୟେକେ ଦୁଇଜଣ ବିଧାୟକ ଅଛନ୍ତି। ଦିନସାରା ଆଲୋଚନା ପରେ, ସେମାନେ ଅଭିନେତାରୁ ରାଜନେତା ହୋଇଥିବା ବିଜୟଙ୍କ ନେତୃତ୍ୱାଧୀନ ଦଳକୁ ସମର୍ଥନ ଘୋଷଣା କରିଥିଲେ। ପାଞ୍ଚଟି ଆସନ ଥିବା କଂଗ୍ରେସ ପୂର୍ବରୁ ଟିଭିକେକୁ ସମର୍ଥନ ଦେଇସାରିଛି।

ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ, ଦଳର ପ୍ରତିଷ୍ଠାତା ବିଜୟଙ୍କୁ ତାଙ୍କ ଦ୍ୱାରା ଜିତିଥିବା ଦୁଇଟି ଆସନ ମଧ୍ୟରୁ ଗୋଟିଏ ଛାଡ଼ିବାକୁ ପଡ଼ିବ। ବିଜୟଙ୍କୁ ଚେନ୍ନାଇର ପେରାମ୍ବୁର ଆସନ କିମ୍ବା ତିରୁଚିରାପାଲି ପୂର୍ବ ଆସନ ଛାଡ଼ିବାକୁ ପଡ଼ିବ।

ପ୍ରମେୟ ପୃଷ୍ଠାର ପ୍ରମୁଖ ଖବର: ଅଭିନୟ କରିବେ ହିଟମ୍ୟାନ୍, ସାମ୍ନାକୁ ଆସିଲା ଭିଡିଓ