ଭୁବନେଶ୍ୱର ୨୪/୧୧: କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍‌ ପ୍ରକଳ୍ପ କାର୍ଯ୍ୟ  ଆଉ ପାଦେ ଆଗକୁ ବଢିଛି ।  ଏନ୍‌ଏଚ୍‌ଏଆଇ ପକ୍ଷରୁ ପ୍ରଥମ ପ୍ୟାକେଜ୍‌  କାମ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି ।  ୪୦ କିମି ରାସ୍ତା ପାଇଁ ମୋଟ୍‌ ୧୭୧୫  କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କାମର ସମୀକ୍ଷା କରିବା ସହ କେନ୍ଦ୍ର ସଡ଼କ ଓ  ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ପ୍ୟାକେଜ୍‌-୧ ରେ ରାମେଶ୍ୱରରୁ-ବିଲିପଡା ରାସ୍ତା ନିର୍ମାଣ ହେବ । ୬  ଲେନ୍‌ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ  ଆବଶ୍ୟକୀୟ ଜମି ଅଧିଗ୍ରହଣ ସରିଛି ।  ଟେଣ୍ଡର ଡକା ହୋଇଛି । ଏହା ଚୂଡାନ୍ତ  ହେବା ପରେ ଫେବ୍ରୁଆରୀ ମାସରୁ କାମ  ଆରମ୍ଭ ହେବ । ଯୁଦ୍ଧକାଳୀନ ଭିତ୍ତିରେ  କାମ ସାରିବାକୁ ଟାର୍ଗେଟ ରଖାଯାଇଛି ।  

ସେହିପରି ପ୍ୟାକେଜ-୨ରେ  ବିଲିପଡ଼ାରୁ ଗୋବିନ୍ଦପୁର କାମ ହେବ ।  ଏଥିପାଇଁ ମଧ୍ୟ ଆସନ୍ତା ମାସରେ ଟେଣ୍ଡର  ଡାକିବା ଯୋଜନା ରହିଛି। ଏହାପରେ  ଗୋବିନ୍ଦପୁରରୁ କଟକ ଟାଙ୍ଗୀ ତୃତୀୟ  ପ୍ୟାକେଜରେ କାମ ଆରମ୍ଭ କରିବାକୁ  ଯୋଜନା ହୋଇଛି । ତେବେ ତୃତୀୟ  ଫେଜ୍‌ ପାଇଁ ଜମି ଅଧିଗ୍ରହଣ କାମ  ସରିନି । ଭୁବନେଶ୍ୱର-କଟକ ସହର ଭିତରେ  ଏନ୍‌ଏଚ୍‌ ଯାଇଛି । ଏନ୍‌ଏଚ୍‌ ପାଇଁ  ଟ୍ରାଫିକ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ । ହଂସପାଳ ରାସ୍ତାରେ ଟ୍ରାଫିକ୍‌ ଭିଡ଼  ନାକେଦମ କରୁଛି । ସେହିପରି ପ୍ରତିଦିନ  ଦୁର୍ଘଟଣା ଘଟୁଛି । ପଳାଶୁଣି ନିକଟରେ ଦୁର୍ଘଟଣାରେ ମାସକ ଭିତରେ ୪ ମୁଣ୍ଡ  ଗଡିଲାଣି । ପ୍ରତିଦିନ ସହରରେ ଦୁର୍ଘଟଣା  ଘଟୁଛି ।   

ଆଗକୁ ସହର ବଢୁଛି । ଭୁବନେଶ୍ୱର  ଓ କଟକ ଜନସଂଖ୍ୟାକୁ ଦୃଷ୍ଟିରେ ରଖି  ଏହି ଏନ୍‌ଏଚ୍‌ ନିର୍ମାଣ କରାଯିବ । ଜାତୀୟ  ରାଜପଥ- ୧୬ (କ)କୁ ଖୋର୍ଦ୍ଧା ଟାଙ୍ଗିକୁ  କଟକ ଟାଙ୍ଗି ପର‌୍ୟ୍ୟନ୍ତ ସହର ବାହାରେ  ଏହି ରାସ୍ତା ନିର୍ମାଣ କରାଯାଉଛି । ଏହା  ହେଲେ ସହର ଭିତର ରାସ୍ତାରୁ ଚାପ  କମିବ । ଆନ୍ଧ୍ର ପ୍ରଦେଶରୁ କଲିକତା  ଯାଉଥିବା ବଡ଼ ବଡ଼ ଟ୍ରକ ସହର ଭିତରେ  ନ ପଶି ବାହାରେ ଯିବ । ଦୀର୍ଘଦିନ ଧରି  ଏହି ରାସ୍ତା କାମ ପାଇଁ ପ୍ରସ୍ତାବ ଥିବେ ମଧ୍ୟ କାମ ଆଗଉନଥିଲା । ରାସ୍ତା ନିର୍ମାଣକୁ  ନେଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କେନ୍ଦ୍ର  ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଭେଟି ଦାବି  ଜଣାଇଥିଲେ ।