ନୂଆଦିଲ୍ଲୀ,୨୯/୧୨; ଜିଅନ୍ତା ଜଳିଗଲେ ଯାତ୍ରୀ । ଗଭୀର ନିଦରେ ଶୋଇଥିଲେ ଯାତ୍ରୀ ଜଳି ଉଠିଲା ଟ୍ରେନ୍ ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଟ୍ରେନରୁ ୨ଟି ବଗି ହୁତୁହୁତ ହୋଇ ଜଳିଯାଇଛି । ଆନ୍ଧ୍ରପ୍ରଦେଶର ଅନାକାପଲ୍ଲୀର ଇଲାମାଞ୍ଚିଲି ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଟ୍ରେନରେ ନିଆଁ ଲାଗି ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ୭୦ ବର୍ଷୀୟ ବୃଦ୍ଧ ହୋଇଥିବା ସୂଚନା ମିଳିଛି । ଝାଡ଼ଖଣ୍ଡର ଷ୍ଟିଲ ନଗରୀ ଟାଟାନଗରରୁ କେରଳ ଯାଉଥିଲା ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ । ବିଶାଖାପାଟଣାରୁ ପ୍ରାୟ ୬୬ କିଲୋମିଟର ଦୂରରେ ଇଲାମାଞ୍ଚିଲି ଷ୍ଟେସନରେ ଟ୍ରେନ୍ରେ ନିଆଁ ଲାଗିଯାଇଥିଲ । ଅଗ୍ନିକାଣ୍ଡ ନେଇ ରାତି ପ୍ରାୟ ୧୨ଟା ୪୫ ମିନିଟ୍ରେ ସୂଚନା ମିଳିଥିଲା ।
ଟାଟା ଏର୍ଣ୍ଣାକୁଲମ ଏକ୍ସପ୍ରେସ୍ରେ ବି୨ ଏବଂ ଏମ୧ କୋଚରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ହେବା କ୍ଷଣି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଧାଁ ଦୌଡ଼ କରିବାକୁ ଲାଗିଥିଲେ ଲୋକ । ଯାତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ବଗିରୁ ଜଣଙ୍କ ମୃତଦେହ ମିଳିଛି । ପୁଲିସ୍ ଅଧୀକ୍ଷକ ତୁହିନ ସିହ୍ନା ଘଟଣା ବାବଦରେ ସୂଚନା ଦେଇ କହିଛନ୍ତି ପ୍ରଭାବିତ କୋଚରେ ୮୨ ଯାତ୍ରୀ ଥିଲେ । ଅନ୍ୟ ଏକ କୋଚ୍ରେ ୭୬ ଜଣ ଲୋକ ଥିଲେ । ଅଘଟଣ ପାଇଁ ସେହି ରୁଟ୍ରେ ଅନ୍ୟ ଟ୍ରେନ୍ ଚଳାଚଳା ବାଧାପ୍ରାପ୍ତ ହୋଇଛି
ରେଳବାଇ କର୍ମଚାରୀ ବି୧ ସହିତ ଏମ୧ ଏବଂ ବି୨ କୋଚକୁ ଟ୍ରେନରୁ ଅଲଗା କରି ଦେଇଛନ୍ତି । ଅଗ୍ନିକାଣ୍ଡରେ ଏମ୧ ଏବଂ ବି୨ କୋଚ ସମ୍ପୂର୍ଣ୍ଣ ଜଳି ଯାଇଛି । ପରୱାଡ଼ା ଡିଏସପି ବିଷ୍ଣୁ ସ୍ୱରୁପ ଏବଂ ଏନଟିଆର ରେସ୍କ୍ୟୁ ଅପରେସନର ନେତୃତ୍ୱ ନେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଟାଟା ନଗର-ଏର୍ଣ୍ଣାକୁଲମ୍ ଏକ୍ସପ୍ରେସ୍ ଟ୍ରେନ୍ର ବି୧ କୋଚ୍ରେ ନିଆଁ ଲାଗିଥିଲା । ଏହାପରେ ନିଆଁ ଏମ୍୨ ଏସି କୋଚକୁ ବ୍ୟାପି ଯାଇଥିଲା । କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାର କାରଣ ଜାଣିବା ପାଇଁ ରେଲୱେ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି । ଯାତ୍ରୀଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଇଲାମାଞ୍ଚିଲି (୭୮୧୫୯୦୯୩୮୬), ଅନାକାପଲ୍ଲି (୭୫୬୯୩୦୫୬୬୯), ତୁନୀ (୭୮୧୫୯୦୯୪୭୯), ସମାଲକୋଟ (୭୩୮୨୬୨୯୯୯୦) ହେଲ୍ପଲାଇନ ସେବା ଆରମ୍ଭ ହୋଇଛି ।