ଭୁବନେଶ୍ୱର ୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗ, ଇଣ୍ଡିଆନ୍‌ ଆସୋସିଏସନ୍‌ ଅଫ୍‌ ଫିଜିଓଥେରାପି (ଆଇଏପି) ଉତ୍କଳ ଶାଖା ଏବଂ ଆଇଏପିର ମହିଳା ଶାଖା ପକ୍ଷରୁ ଆସନ୍ତା ଡିସେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ସୋଆ କ୍ୟାମ୍ପସ୍‌ ୨ରେ ଏକ ଆନ୍ତର୍ଜାତିକ ଫିଜିଓଥେରାପି ସମ୍ମିଳନୀର ଆୟୋଜନ କରାଯାଉଛି। ଓଡ଼ିଶାର ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଓଡ଼ିଶା ଏବଂ ଭାରତ ସମେତ ବିଦେଶରୁ ପ୍ରାୟ ୧୦୦୦ ରୁ ଊଦ୍ଧ୍ୱର୍ ପ୍ରତିନିଧି ସାମିଲ ହେବେ ବୋଲି ସୋମବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି ।

ଏହି ଅବସରରେ ସମ୍‌ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଅର୍ଗାନାଇଜିଂ ଚେୟାରପର୍ସନ୍‌ ଓ ଆଇଏପି ଓଡ଼ିଶା ଶାଖାର ରାଜ୍ୟ ସଭାପତି ଡାକ୍ତର ସ୍ତିତିପ୍ରଜ୍ଞା ଦଳ ବେହେରା କହିଛନ୍ତି ଯେ ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି  ‘ଆଡ୍‌ଭାନ୍ସମେଂଟ ଇନ୍‌ ଫିଜିଓଥେରାପି ଇନ୍‌ ନ୍ୟୁରୋମସ୍‌କୁଲୋସ୍କେଲିଟାଲ୍‌ ଡିଜ୍‌ଅଡର୍ସ’ । ସମ୍ମିଳନୀରେ ମୁଖ୍ୟତଃ ସ୍ନାୟୁ ରୋଗ ଏବଂ ଦୁର୍ଘଟଣାରେ ପୀଡ଼ିତ ହୋଇଥିବା ରୋଗୀମାନଙ୍କର ଫିଜିଓଥେରାପି ଚିକିତ୍ସା, ମହିଳାଙ୍କ ସ୍ୱାସ୍ଥ୍ୟ, ମଣିଷ ନୀରବରେ ସହ୍ୟ କରୁଥିବା ଅନେକ ଶାରୀରିକ କଷ୍ଟ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଫିଜିଓଥେରାପିର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ବୋଲି ଡାକ୍ତର ଦଳବେହେରା କହିଛନ୍ତି। 

ସମ୍ମିଳନୀରେ ନେପାଳ ଓ ନ୍ୟୁଜିଲ୍ୟାଣ୍ଡ ଭଳି ଦେଶରୁ ମହିଳା ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ହାଇବ୍ରିଡ୍‌ ମୋଡରେ ମଧ୍ୟ ପରିଚାଳନା କରାଯିବ । ସାମ୍ବାଦିକ ସମ୍ମିଳନୀରେ ଆଇଏପିର ସଭାପତି ଭୁବନାନନ୍ଦ ପାଣି, କାର୍ଯ୍ୟକର୍ତା ପ୍ରଭଞ୍ଜନ ରାୟସାମନ୍ତ ଏବଂ ପ୍ରୟାସ ରଥ ପ୍ରମୁଖ ଉପସ୍ଥିତ ଥିଲେ।