ଭୁବନେଶ୍ୱର, ୩୧ ।୫ : ଭାରତୀୟ ମୂଲ୍ୟବୋଧକୁ ଭିତ୍ତିକରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ଏଥିସହ ବିଶ୍ୱବିଦ୍ୟାଳୟଗୁଡିକୁ ସାମାଜିକ ଦାୟିତ୍ୱବାନ ଏବଂ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ପ୍ରତିଷ୍ଠାନରେ ପରିଣତ କରିବାକୁ ଗୁରୁତ୍ୱାରୋପ କରିଛନ୍ତି । ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଏକ ଆତ୍ମନିର୍ଭର ଭାରତ ଗଠନ ଏବଂ ଭବିଷ୍ୟତର ଆହ୍ୱାନ ପାଇଁ ରାଜ୍ୟକୁ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଉଚିତ ବୋଲି ରବିବାର ଲୋକଭବନଠାରେ ଆୟୋଜିତ ଦୁଇ ଦିନିଆ କୁଳପତି ସମ୍ମିଳନୀର ଉଦଘାଟନୀ ସମାରୋହରେ ରାଜ୍ୟପାଳ କହିଛନ୍ତି।

ଏହି ଅବସରରେ ରାଜ୍ୟପାଳ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ ଜ୍ଞାନ, ନବସୃଜନ ଏବଂ ନେତୃତ୍ୱର କେନ୍ଦ୍ର ଏବଂ ରାଷ୍ଟ୍ର ନିର୍ମାଣରେ ବିଶ୍ୱବିଦ୍ୟାଳୟଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଦ୍ରୁତ ବୈଷୟିକ ପ୍ରଗତି ଏବଂ ବିଭିନ୍ନ ଆହ୍ୱାନ ମଧ୍ୟରେ ବିଶ୍ୱ ଅଭୂତପୂର୍ବ ପରିବର୍ତ୍ତନ ଦେଇ ଗତି କରୁଛି। ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ଆବଶ୍ୟକୀୟ ଜ୍ଞାନ, ଦକ୍ଷତା ଏବଂ ମୂଲ୍ୟବୋଧ ସହିତ ଏକ ଜଟିଳ ଭବିଷ୍ୟତକୁ ସମ୍ମୁଖୀନ କରିବା ପାଇଁ ଗଢ଼ି ତୋଳିବା ଉଚିତ।

ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ର ପରିବର୍ତ୍ତନକାରୀ ସମ୍ଭାବନା ଉପରେ ଆଲୋକପାତ କରି ରାଜ୍ୟପାଳ କହିଥିଲେ ଯେ ଏହି ନୀତି ବହୁମୁଖୀ ଶିକ୍ଷା, ଶୈକ୍ଷିକ ନମନୀୟତା, ଦକ୍ଷତା ସମନ୍ୱୟ, ଡିଜିଟାଲ୍ ଶିକ୍ଷା, ଗବେଷଣା ଉତ୍କର୍ଷତା ଏବଂ ଦୃଢ଼ ଶିଳ୍ପ ସହଭାଗୀତାକୁ ପ୍ରୋତ୍ସାହିତ କରୁଛି। ଓଡ଼ିଶାର ସମୃଦ୍ଧ ଜନଜାତି ଐତିହ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଜନଜାତି ଜ୍ଞାନ ପ୍ରଣାଳୀ, ପରମ୍ପରା ଏବଂ ସାଂସ୍କୃତିକ ସଂରକ୍ଷଣ ଉପରେ ଅର୍ଥପୂର୍ଣ୍ଣ ଗବେଷଣା କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଲୋକଭବନର ଟ୍ରାଇବାଲ ସେଲ୍ ଦ୍ୱାରା ପ୍ରସ୍ତୁତ ପିଭିଟିଜି ଗୋଷ୍ଠୀର ଡକ୍ୟୁମେଣ୍ଟେସନ୍ ପ୍ରକାଶନଗୁଡ଼ିକ ଶିକ୍ଷାଗତ ଅଧ୍ୟୟନ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱବିଦ୍ୟାଳୟମାନଙ୍କୁ ଉପଲବ୍ଧ କରାଯିବ ବୋଲି ରାଜ୍ୟପାଳ କହିଥିଲେ।

ଏହି ସମ୍ମିଳନୀରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ବିଶ୍ୱବିଦ୍ୟାଳୟଗୁଡ଼ିକ କେବଳ ଡିଗ୍ରୀ ପ୍ରଦାନକାରୀ ପ୍ରତିଷ୍ଠାନ ନୁହେଁ ବରଂ ଜ୍ଞାନ ସୃଷ୍ଟି, ନବସୃଜନ ଏବଂ ଗବେଷଣାର କେନ୍ଦ୍ର। ଶିକ୍ଷା କ୍ଷେତ୍ର ପାଇଁ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ବଜେଟ୍ ଆବଣ୍ଟନ ଉପରେ ଆଲୋକପାତ କରିବା ସହିତ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ରୂପରେଖ ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ।

ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଦେଓ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଉଚ୍ଚଶି୪ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉଚ୍ଚଶିକ୍ଷାକୁ ସୁଦୃଢ଼ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଏକ ଇକୋସିଷ୍ଟମ ସୃଷ୍ଟି କରିବା ଉପରେ କହିଥିଲେ।

ଏହି ସମ୍ମିଳନୀର ପ୍ରଥମ ଅଧିବେଶନରେ, ଉଚ୍ଚଶିକ୍ଷା ବିଭାଗର କମିଶନର-ତଥା-ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ବିକଶିତ ଓଡ଼ିଶା@୨୦୩୬ ଏବଂ ବିକଶିତ ଭାରତ@୨୦୪୭ ର ଦୃଷ୍ଟିକୋଣ ଅଧୀନରେ ଉଚ୍ଚଶିକ୍ଷା ବିଭାଗର ସଫଳତା ଏବଂ ନିଆଯାଇଥିବା ପଦକ୍ଷେପଗୁଡ଼ିକୁ ଉପସ୍ଥାପନ କରିଥିଲେ। ଏହି ଅବସରରେ ଜାତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଇଂରାଜୀ ଓ ଓଡ଼ିଆ ବିତର୍କ ପାଇଁ ଚାନ୍ସେଲର୍ସ କପ୍ ଘୋଷଣା କରାଯାଇ ଉନ୍ମୋଚନ କରାଯାଇଥିଲା । ନିଶା ନିବାରଣ ଉପରେ ମନୋନୀତ କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ସ କାର୍ଯ୍ୟକଳାପକୁ ସୁଦୃଢ଼ କରିବା, ଭାରତୀୟ ରେଡକ୍ରସ୍ ପଦକ୍ଷେପ, ଏନଏସଏସ-ନେତୃତ୍ୱାଧୀନ ଗୋଷ୍ଠୀର ପ୍ରସାର ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଡ଼ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ରାଜ୍ୟପାଳଙ୍କ ସ୍ଵତନ୍ତ୍ର ଶାସନ ସଚିବ (ଉଚ୍ଚଶିକ୍ଷା) ପ୍ରଶାନ୍ତ କିଶୋର ମହାପାତ୍ର ଧନ୍ୟବାଦ ଦେଇଥିଲେ।

ଏହି ଦୁଇଦିନିଆ କୁଳପତି ସମ୍ମିଳନୀରେ ରାଜ୍ୟର ସରକାରୀ ଏବଂ ଘରୋଇ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେଇଛନ୍ତି I ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ଓଡିଶା ସରକାରଙ୍କ ବରିଷ୍ଠ ଅଧିକାରୀ ଏବଂ ଶିକ୍ଷାବିତ ଯୋଗ ଦେଇଥିଲେ।