ନୂଆଦିଲ୍ଲୀ,୨।୧୦: ଲାଗାର୍ଡିଆ ବିମାନବନ୍ଦରରେ ଦୁଇଟି ଡେଲ୍ଟା ଆଞ୍ଚଳିକ ଜେଟ୍ ପରସ୍ପର ଧକ୍କା ହୋଇଥିଲା । ବୁଧବାର ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଥିବା ଏବିସି ନ୍ୟୁଜ୍, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) ଅଡିଓ ରିପୋର୍ଟ ଦେଇଛି । ଦୁର୍ଘଟଣା ରାତି ପ୍ରାୟ ୯ଟା ୫୬ ସମୟରେ ଘଟିଥିବା ବେଳେ ଏଥିରେ ଜଣେ ଆହତ ହୋଇଛନ୍ତି । ଗୋଟିଏ ବିମାନର ଡାହାଣ ପାଖ ଡେଣା ଅନ୍ୟ ଏକ ବିମାନର ସମ୍ମୁଖ ଭାଗରେ ଧକ୍କା ଲାଗିଥିଲା । ଏଟିସି ଅଡିଓ ଅନୁଯାୟୀ, ଜେଟ୍ର ୱିଣ୍ଡସିଲ୍ଡ କ୍ଷତି ହୋଇଥିବା ପାଇଲଟ୍ମାନେ ସୂଚନା ଦେଇଛନ୍ତି ।
ସିବିଏସ୍ର ଜଣେ ପ୍ରତିନିଧି ଭିଡିଓ ପୋଷ୍ଟ କରି ଦାବି କରିଛନ୍ତି ଯେ, ଡେଲ୍ଟା ଫ୍ଲାଇଟ୍ ୫୦୪୭ରେ ଥିବା ତାଙ୍କ ସହକର୍ମୀ ରିପୋର୍ଟ କରିଛନ୍ତି ଯେ ବିମାନଟି ଚାର୍ଲଟ ଡଗଲାସ୍ ଅନ୍ତର୍ଜାତୀୟ ବିମାନବନ୍ଦର (CLT) ରୁ ଅବତରଣ କରିଥିଲା । ଏହି ସମୟରେ ଏହା ଅନ୍ୟ ଏକ ଡେଲ୍ଟା ଆଞ୍ଚଳିକ ଜେଟ୍ ସହିତ ଧକ୍କା ହୋଇଥିଲା । ଏହି ଧକ୍କା ଯୋଗୁଁ ଜେଟ୍ର ଡେଣାର କିଛି ଅଂଶ କ୍ଷତି ହୋଇଥିଲା । ଫେଡେରାଲ୍ ଏଭିଏସନ୍ ପ୍ରଶାସନ (FAA) ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ।