ଫୁଲବାଣୀ,୨୪/୭: କନ୍ଧମାଳ ଜିଲାରେ ପୁଣି ଦୁଇଜଣ ନାବାଳିକା ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଭିନ୍ନ ଭିନ୍ନ ଦୁଇଟି ଥାନାରେ ଏତଲା ଦେଇଛନ୍ତି । ଉଭୟ ପିଡ଼ିତା କନ୍ଧମାଳ ଜିଲ୍ଲାର ଗୋଟିଏ ଆବାସିକ ବିଦ୍ୟାଳୟର ବୋଲି ଜଣାପଡ଼ିଛି।  ବିଦ୍ୟାଳୟ କର୍ତ୍ତୃପକ୍ଷ ଉଭୟ ଛାତ୍ରୀଙ୍କ ପରିବାରକୁ   ଏ  ସମ୍ପର୍କରେ ଅବଗତ କରିଥିବା  କହିଛନ୍ତି ।

 ପ୍ରତିମାସ ପରି ଚଳିତ ମାସରେ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଏହି ଘଟଣା ଜଣାପଡ଼ିଥିଲା। ପରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏନେଇ କୋଟଗଡ଼ ଏବଂ ବେଲଘର ଥାନାରେ ଦୁଇଟି ଏତଲା ଦେଇଛନ୍ତି । ଉଭୟ ଥାନାରେ ପୁଲିସ୍ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବା ବାଲିଗୁଡ଼ା ଏସ୍‌ଡ଼ିପିଓ ପ୍ରକାଶ କରିଛନ୍ତି ।  ଗ୍ରୀଷ୍ମ ଛୁଟିରେ ଉଭୟ ନିଜ ନିଜ ଘରକୁ ଯାଇଥିଲେ ଓ ବିଦ୍ୟାଳୟ ଖୋଲିବାର କିଛିଦିନ ପରେ ବିଦ୍ୟାଳୟ ଫେରିଥିଲେ ।  ଖବର ଜଣାପଡ଼ିବା ପରେ ବିଭାଗର କିଛି କର୍ମଚାରୀ ବିଦ୍ୟାଳୟରେ ପହଂଚି ଘଟଣାର ଅନୁଧ୍ୟାନ କରିଛନ୍ତି। 

 ସୂଚନାଯୋଗ୍ୟ, ମାତ୍ର ୬ ଦିନ ତଳେ ଏକ ଆବାସିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ ଥିବା ଜଣାପଡ଼ିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ  ତୁମୁଡ଼ିବନ୍ଧ ଥାନାରେ ଏକ ଏତଲା ଦେଇଛନ୍ତି। ଯାହାର ତଦନ୍ତ ତୁମୁଡ଼ିବନ୍ଧ ପୁଲିସ୍ ଚଳାଇଛି । ତେବେ ଏନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ ।