ନାରାୟଣପାଟଣା,୧୭/୦୩: କୋରାପୁଟ ଜିଲ୍ଲା ନାରାୟଣାପଟଣା  ପେଟ୍ରୋଲ ପମ୍ପ ଛକ ନିକଟରେ ଘଟିଛି  ଗୋଷ୍ଠୀ ସଂଘର୍ଷ । ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା  ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି । ଗୁରୁତର ଯୁବକ ଜଣଙ୍କ ହେଲେ  ପାଲାପୁଟ ଗାଁର ଟିଙ୍କୁ କଣ୍ଟା(୧୭)  । ତାଙ୍କୁ ନାରାୟଣାପାଟଣା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରୁ କୋରାପୁଟ ସହିଦ  ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଆହତ ହୋଇଥିବା ଅନ୍ୟ ୯ଜଣଙ୍କ  ମଧ୍ୟରେ ୨ଜଣ ମହିଳା ରହିଥିବା  ଜଣାପଡ଼ିଛି । ସେମାନେ ସେଠାକାର  ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ  ହେଉଛନ୍ତି । ଗୋଷ୍ଠୀ ସଂଘର୍ଷର କାରଣ  ଜଣାପଡି଼ନାହିଁ । ଘଟଣାସ୍ଥଳରେ ଚାପା  ଉତ୍ତେଜନା ଲାଗି ରହିଛି ।  ମେଡିକାଲ, ପାଲାପୁଟ,  ହରିଜନ ସାହିରେ ଏକ ପ୍ଲାଟୁନ ଫୋର୍ସ  ମୁତୟନ କରାଯାଇଛି । ହରିଜନସାହି  ପୁରୁଷ ଶୂନ୍ୟ ହୋଇପଡ଼ିଛି । ପେଟ୍ରାଲ  ପମ୍ପ ନିକଟରେ ଗୋଷ୍ଠୀ ସଙ୍ଘର୍ଷ ଆରମ୍ଭ  ହୋଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ  ଜାଣିବାକୁ ପାଇଛି । ସେଠାରୁ ସିସିଟିଭି  ଫୁଟେଜ୍‌ ସଂଗ୍ରହ କରୁଛି ।   

କୌଣସି କାରଣରୁ ସ୍ଥାନୀୟ  ପେଟ୍ରାଲ ପମ୍ପ ଛକରେ ପାଲାପୁଟର ଦୁଇ  ଜଣ ଯୁବକଙ୍କୁ ଗୋରିଆଘାଟ ସାହିର  କେତେକ ଯୁବକ ମରଣାନ୍ତକ ଆକ୍ରମଣ  କରି ଫେରାର୍‌ ହୋଇଯାଇଥିଲେ ।  ଆକ୍ରମଣର ଶିକାର ହୋଇଥିବା ଦୁଇ  ଯୁବକଙ୍କ ବନ୍ଧୁ ଓ ସାଙ୍ଗସାଥୀ ଗୋରିଆଘାଟ  ଯାଇ କିଏ ଓ କାହିଁକି ଆକ୍ରମଣ କଲେ  ବୋଲି ପଚାରୁଥିଲେ । ଏହି ସମୟରେ  ଚର୍ଚ୍ଚ ନିକଟରେ ୨୦ରୁ ୨୫ ଜଣ ଯୁବକ  ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ  ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ  ୨ ମହିଳାଙ୍କ ସମେତ ପ୍ରାୟ ୮ଜଣ ଆହତ  ହୋଇଥିଲେ । ସେମାନେ ହେଲେ ତୁଳସା  କୁଲେସିକା, ଜୟନ୍ତୀ ହୁଇକା, ଅନିଲ  ମାଣ୍ଡିଙ୍ଗି, ଟିବୁନ ମାଣ୍ଡିଙ୍ଗି, ଅରୁଣ ହୁଇକା,  ରାହୁଲ ମିଣିଆକା, ମନୋଜ ଶିରିକା,  କଣ୍ଟା ଟିଙ୍କୁ, କୁମ୍ଭର କଟପାତି, ନାରାୟଣ  ହବିକା । ଛୁରାମାଡ଼ରେ ଟିଙ୍କୁଙ୍କ ପିଠିରେ  ଗଭୀର ଆଘାତ ଲାଗିଥିବା ବେଳେ ମୁଣ୍ଡ  ଓ ଶରୀରର ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ  କରାଯାଇଛି । ଅନ୍ୟମାନଙ୍କୁ ଠେଙ୍ଗା ଓ  ଛୁରୀରେ ଆକ୍ରମଣ କରାଯାଇଛି । ପୁଲିସ୍‌  ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି ।