ତେହେରାନ୍: ମୁସଲିମ୍‌ ଦେଶ ଇରାନ୍‌ରେ ଭୟଙ୍କର ଆକ୍ରମଣ । ଶନିବାର ତେହେରାନ୍‌ ସ୍ଥିତ ସୁପ୍ରିମକୋର୍ଟର ଦୁଇ ଜଜ୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁଳିମାଡ଼ରେ ଅନ୍ୟ ଜଣେ ଜଜ୍‌ ଆହତ ହୋଇଥିବା ନେଇ ସରକାରୀ ଗଣମାଧ୍ୟମ ମିଜାନ୍‌ ନ୍ୟୁଜ୍‌ରେ ଖବର ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଜଜମାନଙ୍କ ଉପରକୁ ଗୁଳିମାଡ଼ କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି । 

ତେବେ ମୃତକ ହେଉଛନ୍ତି,  ହୋଜାତ ଅଲ-ଇସ୍ଲାମ ଏବଂ ହୋଜାତ ଅଲ୍‌ ଓ୍ବାଲମୁସ୍ଲିମିନ ମୋକିସେ । ସୁପ୍ରିକୋର୍ଟର ଦୁଇଟି ଭିନ୍ନ ଶାଖାର ଏହି ଦୁଇ ଜଜ୍ ମୁଖ୍ୟ ଥିଲେ । ସେମାନେ ଦେଶରେ ଆତଙ୍କବାଦ ଏବଂ ବିଭିନ୍ନ ଅପରାଧକୁ କମ୍‌ କରିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ । ସୁପ୍ରିମକୋର୍ଟର ମୁଖାପାତ୍ରଙ୍କ ଅନୁସାରେ, ଜଣେ ବନ୍ଧୁକଧାରୀ ଦୁଇ ଜଜ୍‌ଙ୍କ ରୁମ୍‌ ଭିତରକୁ ପଶି ଆଖିବୁଜା ଗୁଳିମାଡ଼ କରିଥିଲା । ତେବେ ଆକ୍ରମଣକାରୀର ପରିଚୟ ଏବଂ ଜଜଙ୍କୁ ହତ୍ୟା କରିବାର କାରଣ ସଂପର୍କରେ ଜଣାପଡ଼ି ନାହିଁ । 

ସେପଟେ ଆକ୍ରମଣକାରୀର କୌଣସି ମାମଲା କୋର୍ଟରେ ନାହିଁ ଏବଂ ସେ କୋର୍ଟକୁ ବୁଲିବାକୁ ଆସିନଥିଲା । ତେହେରାନ୍‌ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଗୁଳିମାଡ଼ରେ ଜଣେ ବଡିଗାର୍ଡ ମଧ୍ୟ ଗୁରୁତର ହୋଇଛନ୍ତି । ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।  ଏହା ପୂର୍ବରୁ ୧୯୯୮ରେ ଇରାନ୍‌ ସୁପ୍ରିମକୋର୍ଟର ଜଜ୍‌ ରାଜିନିଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥିଲା ।