ନୂଆଦିଲ୍ଲୀ,୩୧/୧୨; ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ବଡ଼ ଟ୍ରେନ୍ ଦୁର୍ଘଟଣା ହୋଇଛି । ତେହରି ହାଇଡ୍ରୋ ବିକାଶ ନିଗମ (THDC)ର ନିର୍ମାଣାଧୀନ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ଦୁର୍ଘଟଣା ଘଟିଛି । ପିପଲକୋଟୀ ଅଞ୍ଚଳରେ ଥିବା ବିଷ୍ଣୁଗଡ-ପିପଲକୋଟୀ ଜଳ ବିଦ୍ୟୁତ୍ ପ୍ରକଳ୍ପରେ ୪.୫ କିଲୋମିଟର ସୁଡ଼ଙ୍ଗ ଭିତରେ ଦୁଇଟି ଲୋକୋମୋଟିଭ୍ ଟ୍ରେନ୍ ମଧ୍ୟରେ ଧକ୍କା ହେବା ଫଳରେ ୬୦ ଜଣ ଶ୍ରମିକ ଆହତ ହୋଇଛନ୍ତି ।

ମଙ୍ଗ ରାତି ପ୍ରାୟ ସାଢ଼େ ୮ଟା ସମୟରେ ସିଫ୍ଟ ପରିବର୍ତ୍ତନ ସମୟରେ ଦୁର୍ଘଟଣା ଘଟିଛି । ସିଫ୍ଟ ସରିବା ପରେ ଶ୍ରମିକମାନଙ୍କୁ ନେଇ ଏକ ଲୋକୋ ଟ୍ରେନ୍ ବାହାରକୁ ଯାଉଥିଲା । ଟ୍ରେନଟି ସୁଡ଼ଙ୍ଗରେ ଠିଆ ହୋଇଥିବା ଅନ୍ୟ ଏକ ଲୋକୋ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଧକ୍କା ଏତେ ଜୋରରେ ହୋଇଥିଲା ଯେ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା । ସମଗ୍ର ପ୍ରକଳ୍ପ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା ।

ଗୋଟିଏ ଟ୍ରାକ୍‌ରେ ଥିଲା ୨ଟି ଟ୍ରେନ୍‌- ଦୁର୍ଘଟଣାରେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି । ରିପୋର୍ଟ ଅନୁଯାୟୀ, ୪୨ ଜଣ ଆହତଙ୍କୁ ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିବାବେଳେ ପ୍ରାୟ ୧୭ ଜଣଙ୍କୁ ପିପଲକୋଟୀର ବିବେକାନନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଲୋକୋ ଟ୍ରେନ୍ ସମାନ ଟ୍ରାକରେ ଠିଆ ହୋଇଥିବା ଅନ୍ୟ ଏକ ଲୋକୋ ଟ୍ରେନ୍ ସହିତ ଧକ୍କା ଦେଇଥିଲା, ଯାହା ଫଳରେ ଦୁଇଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ଚାମୋଲି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଗୌରବ କୁମାର ଏବଂ ପୁଲିସ ଅଧୀକ୍ଷକ (ଏସପି) ସୁରଜିତ ସିଂହ ପନୱାର ଗୋପେଶ୍ୱର ଜିଲ୍ଲା ହସ୍ପିଟାଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ପ୍ରାୟ ୪୪୪ ମେଗାୱାଟ ପ୍ରକଳ୍ପ- ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଦୁର୍ଘଟଣାର କାରଣ ଖୋଜ ନେଇ ତଦନ୍ତ କରୁଛନ୍ତି । ଆହତମାନଙ୍କ ଚିକିତ୍ସା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରବ କୁମାର ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଏପରି ଦୁର୍ଘଟଣା ରୋକିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରଶାସନ ଆଶ୍ୱାସନା ଦେଇଛି । ଏହି ପ୍ରକଳ୍ପ ହେଉଛି ହେଲଙ୍ଗ ଏବଂ ପିପଲକୋଟୀ ମଧ୍ୟରେ ଅଳକନନ୍ଦା ନଦୀରେ ନିର୍ମିତ ଏକ ୪୪୪ ମେଗାୱାଟ ଜଳବିଦ୍ୟୁତ୍ ପ୍ରକଳ୍ପ, ଯାହା ୪ଟି ଟରବାଇନରୁ ୧୧୧ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ କରିବ । ଆସନ୍ତା ବର୍ଷ ସୁଦ୍ଧା କାର୍ଯ୍ୟ ସମାପ୍ତ ହେବାର ଆଶା କରାଯାଉଛି । ସୁଡ଼ଙ୍ଗ ଦେଇ ଶ୍ରମିକ, ଅଧିକାରୀ ଏବଂ ସାମଗ୍ରୀ ପରିବହନ ପାଇଁ ଲୋକୋ ଟ୍ରେନ ବ୍ୟବହାର କରାଯାଉଛି ।