ମାଲକାନଗିରି,୦୯/୦୪(ଅଶୋକ ମିଶ୍ର): ଆଗରୁ ସେମାନେ ଥିଲେ ରକ୍ତମୁଖା । ଅଧିକାଂଶ ଦିନ ରକ୍ତର ହୋଲି ଖେଳୁଥିଲେ । ହିଂସାର ମାର୍ଗରେ ପରିଚାଳିତ ହୋଇ ଘଟାଇ ଚାଲିଥିଲେ ଗୋଟିଏ ପରେ ଗୋଟିଏ ବର୍ବରକାଣ୍ଡ । ଅଥଚ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିବା ପରେ ଏବେ ଭିନ୍ନ ଏକ ଚର୍ଚ୍ଚାରେ ଦୁଇ ମାଓନେତା ଧନଞ୍ଜୟ ଗୋପ ଓରଫ ସୁଧୀର ଓ ରାମା ମାଡକାମୀ ଓରଫ ଦୀନେଶ । ସମାଜ ସୁରକ୍ଷା ଦିଗରେ କାମ କରୁଛନ୍ତି ଉଭୟ । ସୁଧୀର ଜିଲ୍ଲା ମେଡିକାଲ୍‌ର ବ୍ଲଡବ୍ୟାଙ୍କ ସୁରକ୍ଷା କର୍ମୀ ଭାବେ କାମ କରୁଛନ୍ତି । ଆଉ ଦୀନେଶ ଜିଲ୍ଲା ମେଡିକାଲରେ ନିଯୁକ୍ତି ପାଇଛନ୍ତି ସୁରକ୍ଷା କର୍ମୀ ଭାବରେ । ଏଭଳି କାମ କରି ଗଭୀର ଆତ୍ମସନ୍ତୋଷ ସନ୍ତୋଷ ପ୍ରକାଶ କରିଛନ୍ତି ସେମାନେ । ଅନ୍ୟ କ୍ୟାଡରମାନଙ୍କୁ ଆତ୍ମସମର୍ପଣ କରି ସେମାନଙ୍କ ସହ ଯୋଗଦେବାକୁ ଆହ୍ୱାନ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :- ରାଜା ସାହାଣୀକୁ ୭ ଦିନିଆ ରିମାଣ୍ଡରେ ନେଲେ ମହୀଶୂର ପୁଲିସ, ସୁନା ଦୋକାନ ଲୁଟ୍ ଘଟଣାର ବାହାରିବ ଖିଅ...

ବନ୍ଧୁକ ଧରି ଆତଙ୍କ ସୃଷ୍ଟି କରୁଥିଲେ ସୁଧୀର । ୧୪ ବର୍ଷରୁ ଅଧିକ ସମୟ ଧରି ମାଓ ସଂଗଠନରେ ରହି ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲେ । ୨୦୧୯ ଫେବ୍ରୁଆରୀରେ ହିଂସାର ପଥ ଛାଡି ସାଧାରଣ ଜୀବନ ବିତାଇବା ପାଇଁ ତତ୍କାଳୀନ ଡିଆଇଜି ହିମାଂଶୁ ଲାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ସେତେବେଳେ ତାଙ୍କ ମୁଣ୍ଡରେ ରାଜ୍ୟ ସରକାର ଘୋଷଣା କରିଥିଲେ ୫ଲକ୍ଷ ଟଙ୍କାର ପୁରସ୍କାର । ଅନୁରୂପ ଭାବେ ସୁଧୀର ମାଲକାନଗିରି ଗୁମ୍ମା ଏରିଆ କମିଟିର ଡିଭିଜନାଲ ମେମ୍ବର(ଡିସିଏମ) ଭାବେ କାମ କରୁଥିଲେ ।

୨୦୦୯ରୁ କାଲିମେଳା ଅଞ୍ଚଳରେ ସକ୍ରିୟ ଥିଲେ । ତାଙ୍କ ନାଁରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ସୀମାନ୍ତ ରାଜ୍ୟରେ ବି ଅନେକ ମାମଲା ରହିଥିଲା । ତାଙ୍କ ନା ଶୁଣିଲେ ଲୋକଙ୍କ ମନରେ ସୃଷ୍ଟି ହେଉଥିଲା ଆତଙ୍କ । ଆଜି ସେହି ମାଓନେତା ସମାଜ ସେବାରେ ନିଜକୁ ସମର୍ପିଛନ୍ତି । ମୁଖ୍ୟଧାରାକୁ ଫେରି ଏବେ ବ୍ଲଡ୍ ବ୍ୟାଙ୍କ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି । ଯେଉଁ ସମାଜକୁ ବିଗତ ଦିନରେ ବିରୋଧ କରୁଥିଲେ, ସେହି ସମାଜର ସୁରକ୍ଷା ଦାୟିତ୍ୱକୁ ନିଜ ହାତରେ ରଖିଛନ୍ତି । ସେହିପରି ପୂର୍ବତନ ମାଓନେତା ଦୀନେଶଙ୍କ ଜୀବନରେ ବି ଆସିଛି ବିରାଟ ପରିବର୍ତ୍ତନ ।

୨୦୧୫ରେ ସେ ଆତ୍ମସମର୍ପଣ କରିଥିଲେ । ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୁରକ୍ଷାକର୍ମୀ ଭାବେ କାମ କରୁଛନ୍ତି । ସାଥୀ ମାଓବାଦୀମାନଙ୍କୁ ଘର ବାହୁଡ଼ିବାକୁ ନିବେଦନ କରିଛନ୍ତି । ସମାଜସେବାରେ ଯେଉଁ ଆନନ୍ଦ ଅଛି, ତାହା ଆଉ କେଉଁଥିରେ ନାହିଁ ବୋଲି ପରୋକ୍ଷରେ ବାର୍ତ୍ତା ଦେଇଛନ୍ତି ।