ବିଂଝାରପୁର,୦୪/୧୨: ଚାର୍ଜସିଟକୁ ନେଇ ଥାନାରେ ଦୁଇ ଅଧିକାରୀ ହାତାହାତି । ଆଇଆଇସିଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ଏଏସଆଇ। ଯାଜପୁର ଜିଲ୍ଲା ବିଂଝାରପୁରର ଅଳକୁଣ୍ଡ ଥାନାରୁ ଏହି ଘଟଣା ସାମ୍ନାକୁ ଆସିଛି। ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ଥାନାର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଉଭୟ ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି।
ସୂଚନା ମୁତାବକ, ବଡ଼ଚଣା ଥାନା ନଛିପୁର ଅଞ୍ଚଳର ଜଣେ ପୁରୁଷ ଓ ଅଳକୁଣ୍ଡ ଥାନା ଅଞ୍ଚଳର ଜଣେ ମହିଳାଙ୍କ ମଧ୍ୟରେ ବିବାଦ ହୋଇଥିଲା । ମହିଳାଙ୍କ ଅଭିଯୋଗ କ୍ରମେ ଅଳକୁଣ୍ଡ ଥାନାରେ କେସ ନମ୍ବର ୧୩୩/୨୫ ଓ ଦଫା ୪୯୮ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ଭାର ଏଏସଆଇ ପ୍ରକାଶ କୁମାର ସିଂହଙ୍କୁ ଦିଆଯାଇଥିଲା । ପରେ ଆଇଆଇସି ଦେବାଶିଷ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଏହି କେସର ଚାର୍ଜସିଟ୍ କରିଥିଲେ। ଗତ ମଙ୍ଗଳବାର ଉକ୍ତ ମହିଳା ଓ ତାଙ୍କ ମା’ଆଇଆଇସିଙ୍କୁ ଭେଟିଥିଲେ । ଏହା ପରେ ଆଇଆଇସି ଏଏସଆଇଙ୍କୁ ଡ଼ାକି ମାମଲାର ଚାର୍ଜସିଟ୍ କାହିଁକି କଲ ବୋଲି ପଚାରିବା ସହ ଗାଳିଗୁଲଜ କରିଥିଲେ ଓ ମାଡ଼ ମାରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଏଏସଆଇ ପ୍ରକାଶ କୁମାର ସିଂହ କହିଛନ୍ତି, ଉକ୍ତ କେସ୍ର ଚାର୍ଜସିଟ୍ କରିବାକୁ ଆଇଆଇସି କହିଥିଲେ । ଏବେ ଓଲଟା ପ୍ରଶ୍ନ କରି ମୋତେ ଗାଳି କରିବା ସହ ମୋତେ ମାଡ଼ ମାରିଛନ୍ତି । ତେବେ ଏହି ଘଟଣାରେ ଏସପି ହସ୍ତକ୍ଷେପ କରି ଦୁଇ ଅଧିକାରୀଙ୍କୁ ହେଡ଼କ୍ୱାର୍ଟରକୁ ଡକାଇ ଥିବା ବେଳେ ବିଂଝାରପୁର ଥାନା ଅଧିକାରୀଙ୍କୁ ସେହି ଥାନାର ଅତିରିକ୍ତ ଦାୟିତ୍ୱ ଦେଇଥିବା ଶୁଣିବାକୁ ମିଳିଛି । ତେବେ ଘଟଣାର ତଦନ୍ତ ଚାଲିଥିବା ଏସଡିପିଓ କହିଥିବା ବେଳେ ଅଳକୁଣ୍ଡ ଥାନାଧିକାରୀଙ୍କ ଫୋନ ବନ୍ଦ ରହିଥିବା ଜଣାପଡିଛି।