ଭୁବନେଶ୍ୱର ୧୬/୦୬ : ରାଜଧାନୀରେ ଚାଞ୍ଚଲ୍ୟ । ରାତିଅଧରେ ନାବାଳିକାଙ୍କୁ ଧରି ଫେରାର ହେଉଥିଲେ ୨ ବଙ୍ଗୀୟ ଯୁବକ । ନିଶା ଦେଇ ନାବାଳିକାଙ୍କୁ ଅପହରଣ କରୁଥିବା ବେଳେ ୨ ଯୁବକଙ୍କୁ ମାଡ଼ିବସିଲେ ସ୍ଥାନୀୟଲୋକେ । ୨ ଯୁବକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ନାବାଳିକାଙ୍କୁ କୁଆଡ଼େ ଓ କାହିଁକି ନେଉଥିଲେ, ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ଅଚେତ ଅବସ୍ଥାରେ ନାବାଳିକାଙ୍କୁ ୨ ଯୁବକ ଧରି ନେଉଥିବା ବେଳେ ସ୍ଥାନୀୟଲୋକ ଦେଖିଥିଲେ । ସନ୍ଦେହ ହେବାରୁ ଗାଁଲୋକ ଉକ୍ତ ଯୁବକଙ୍କୁ ଅଟକ ରଖି ଖଣ୍ଡଗିରି ପୁଲିସର ଜିମା ଦେଇଛନ୍ତି । ଅଭିଯୋଗ ପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କ ଅଟକ ରଖିବା ସହ ନାବାଳିକାକୁ ଚିକିତ୍ସା ନିମନ୍ତେ ଏମ୍ସ ମେଡିକାଲକୁ ପଠାଇଛି । ତେବେ ପୁଲିସ ଅଟକ ରଖିଥିବା ଦୁଇ ଯୁବକ ହେଲେ ପଶ୍ଚିମବଙ୍ଗ ମେଦିନପୁରର ଗୋପାଳ ମଜୁମଦାର ଓ ମୃତ୍ୟୁଞ୍ଜୟ ଘୋଷ । ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳରେ ଏକ ହୋଟେଲ୍ରେ ଶ୍ରମିକ ଭାବରେ କାମ କରନ୍ତି ଦୁଇ ଯୁବକ । ଅନ୍ୟପଟେ ନାବାଳିକା ମଧ୍ୟ ଅଚେତ ଅବସ୍ଥାରେ ଥିବାରୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ ।