ସିମୁଳିଆ, ୩/୬ : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ନ୍ୟାସନାଲ ଢ଼ାବା ପାଖରେ ଥିବା ଡାଇଭରସନ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଉଭୟ ଟ୍ରକ୍ର ଡ୍ରାଇଭର୍ ଗୁରୁତର ହୋଇଛନ୍ତି। ସୋମବାର ବିଳମ୍ଵିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, କଲିକତାକୁ ବିଦ୍ୟୁତ୍ ଟ୍ରାନ୍ସଫର୍ମର ବୋଝେଇ କରି ଏକ ଟ୍ରକ୍ ଯାଉଥିବା ସମୟରେ୧୬ ନଂ ଜାତୀୟ ରାଜପଥ ଜାମୁଝାଡ଼ି ନ୍ୟାସନାଲ ଢ଼ାବା ପାଖରେ ଥିବା ଡାଇଭରସନ୍ ଠାରେ ଦିଗ ବଦଳାଇଥଲା। ଏହି ସମୟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଦୁଇଟି ଟ୍ରକ୍ର ଡ୍ରାଇଭର ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ଏବଂ ଅନ୍ୟ ଗାଡିର ଡ୍ରାଇଭର୍ମାନେ ସେମାନଙ୍କୁ ଉଦ୍ଧାର କରି ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଦୁଇ ଡ୍ରାଇଭର୍ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ସ୍ଥଳରେ ଏବେବି ଗାଡି ଦୁଇଟି ଜାତୀୟ ରାଜପଥ ମଝିରେ ଅଟକି ରହିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ଗୋଟିଏ ପାର୍ଶ୍ୱରେ ଜାତୀୟ ରାଜପଥ କାମ ଚାଲୁଥିବାରୁ ଏହି ସ୍ଥାନରେ ଗାଡିଗୁଡିକ ଦିଗ ବଦଳାଉଥିଲେ। ଯାହା ଫଳରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଏହି ଡେଞ୍ଜର ଡାଇଭରସନ ଠାରେ ଟ୍ରକ୍ ଚକ୍କା ତଳେ ଚାପି ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା।