ଭୁବନେଶ୍ୱର, ୦୮/୦୧ : ବିଶ୍ୱନିୟନ୍ତାଙ୍କ ଦୁଇ ଅନନ୍ୟ ବିଶ୍ୱକର୍ମା। ଦୁହିଁଙ୍କ ବୟସ ୧୭ ରୁ ୨୦ ଭିତରେ। ଉଭୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପାସକ। କଳାଚାତୁରୀରେ କେହି କାହାଠାରୁ କମ୍ ନୁହଁନ୍ତି । ଜଣେ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧା ବିଗ୍ରହଙ୍କ ନିଖୁଣ ରୂପକାର। ଆଉ ଜଣେ ପ୍ରଭୁଙ୍କର ଅବିକଳ ତିନି ରଥର କାରିଗର। ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ରହୁଥିବା ବିଶ୍ୱନିୟନ୍ତାଙ୍କ ଏହି ଦୁଇ ଅନନ୍ୟ ବିଶ୍ୱକର୍ମା ହେଲେ ସୁମିତ କୁମାର ଦାଶ ଓ ଆଶୀର୍ବାଦ ଖୁଣ୍ଟିଆ । ଉଭୟଙ୍କ ଯାତ୍ରା ଯେତିକି ରୋଚକ ସେତିକି ପ୍ରେରଣାଦାୟକ । ପିଲାଟି ବେଳୁ ଉଭୟ ପ୍ରଭୁ ଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଉପସ୍ଥିତିକୁ ଅନୁଭବ କରିପାରିଥିଲେ। ଧଉଳି ଚାରୁ ଓ କାରୁକଳା ମହାବିଦ୍ୟାଳୟର ଛାତ୍ର ସୁମିତ ୭ବର୍ଷ ହେଲା ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ରଥ ଗଢି ଆସୁଛନ୍ତି । ସେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଗୁଜରାଟ, ପଞ୍ଜାବ, ମହାରାଷ୍ଟ୍ର ଆଦି ରାଜ୍ୟରେ ବେଶ୍ ପ୍ରଶଂସା ସାଉଁଣ୍ଟିଛି। ବିଭିନ୍ନ ରାଜ୍ୟରୁ ତାଙ୍କ ନିକଟକୁ ଠାକୁରଙ୍କ ରଥ ଗଢିଦେବା ପାଇଁ ବରାଦ ଆସୁଛି । ଏଥିସହିତ ଓଡ଼ିଶାର ବିଭିନ୍ନ ପ୍ରଦର୍ଶନୀରେ ସେ ନିଜର କାରିଗରୀ ପ୍ରଦର୍ଶନ କରି ପ୍ରଶଂସିତ ହେବା ସହ ସମ୍ମାନିତ ହୋଇଛନ୍ତି । ସେହିପରି ଆଶୀର୍ବାଦ ମଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀସୁଦର୍ଶନଙ୍କ ନିଖୁଣ ବିଗ୍ରହ ଗଢୁଛନ୍ତି। ଯାହାକି ଆଖିରେ ନ ଦେଖିଲେ ବିଶ୍ୱାସ ହେବନାହିଁ । ରାଜଧାନୀ କଲେଜରେ ପଢୁଥିବା ଆଶୀର୍ବାଦ ସପ୍ତମରେ ପଢିବା ବେଳେ ସୁମିତଙ୍କ ରଥ କାମରେ ମହାରଣା ସେବକ, ଖୋଦେଇ ରୂପକାର, ଚିତ୍ରକାର ଭାବେ କାମ ଆରମ୍ଭ କରିଥିଲେ । ଦଶମ ଶ୍ରେଣୀ ପରେ ସେ ମହାପ୍ରଭୁଙ୍କ ବିଗ୍ରହ ଗଢିବା ଆରମ୍ଭ କରିଥିଲେ। ଏବେ ଉଭୟ ଏକାଠି ହୋଇ ପାତ୍ରପଡ଼ା ‘ପତିତପାବନ ୟୁନାଇଟେଡ ଗ୍ରୁପ’ ଗଢି ଜଗତରନାଥ ଜଗନ୍ନାଥଙ୍କ ବିଗ୍ରହ ଓ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି ।
'ଶ୍ରୀଜଗନ୍ନାଥ ସବୁଠି ପରିଚୟ ଦେଇଛନ୍ତି'
ଷଷ୍ଠ ଶ୍ରେଣୀରେ ପାଠ ପଢୁଥାନ୍ତି ସୁମିତ। ଦିନେ ଖବରକାଗଜ ପୃଷ୍ଠା ଓଲଟାଇବା ବେଳେ ସେ ପୁରୀ ରଥ ନିର୍ମାଣ ସମୟର ଫଟୋ ଦେଖିଥିଲେ । ଆଉ ସେହି ସମୟରେ ସେ ଅବିକଳ ସୁନ୍ଦର ରଥଟିଏ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଥିଲେ । ରଥ ନିର୍ମାଣର ନିଶା ତାଙ୍କ ମୁଣ୍ଡରେ ଏମିତି ସବାର ହୋଇଥିଲା ଯେ, ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଟ୍ୟୁସନ ଯାଉଛି କହି ପୁରୀ ପଳାଇଥିଲେ । ପୁରୀରେ ନନ୍ଦିଘୋଷ ରଥର ମୁଖ୍ୟ ମହାରଣାଙ୍କୁ ସାକ୍ଷାତ କରି ରଥ ତିଆରିର କଳା କୌଶଳ ଶିଖିଥିଲେ । ଆଉ ତାଙ୍କର ପରିଶ୍ରମର ଫଳସ୍ୱରୂପ ପ୍ରାୟ ୫ବର୍ଷ ହେବ ସେ କାଠରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ ପ୍ରସ୍ତୁତ କରିପାରୁଛନ୍ତି । ପ୍ରଥମେ ଦେଢ ଫୁଟର ରଥ ପ୍ରସ୍ତୁତ କରିଥିବା ହାତ ବର୍ତ୍ତମାନ ୨୨ ଫୁଟ ବିଶିଷ୍ଟ ରଥ ପ୍ରସ୍ତୁତ କରୁଛି । ସବୁଠାରୁ ବଡ଼ କଥା ହେଉଛି ସେ ଏହି ରଥ ନିର୍ମାଣ କରିବା ପାଇଁ କୌଣସି ପ୍ରଶିକ୍ଷଣ ନେଇନାହାନ୍ତି । ବିଭିନ୍ନ ପୁସ୍ତକରୁ ରଥ ନିର୍ମାଣର ଶୈଳୀ, ଶିଳ୍ପୀମାନଙ୍କ କାର୍ଯ୍ୟକୁ ନିରୀକ୍ଷଣ କରି ଶିଖିଛନ୍ତି । ଏଥିପାଇଁ ସେ ରଥ ନିର୍ମାଣ ସମୟରେ ପୁରୀ ଯାଇ ଶିଳ୍ପୀମାନଙ୍କ କାମକୁ ଦେଖି ଆସିଛନ୍ତି । ସୁମିତଙ୍କ ତିଆରି ରଥ କିଣିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବରାଦ ଆସୁଛି । ସେ ଧଉଳି କଲେଜ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟରେ ଭାସ୍କର୍ଯ୍ୟ କଳାରେ ତୃତୀୟ ବର୍ଷରେ ପାଠ ପଢୁଛନ୍ତି । ସୁମିତ୍ କୁହନ୍ତି, ‘ମୁଁ ଜଗନ୍ନାଥଙ୍କୁ ବହୁତ ଭଲ ପାଏ । ସବୁ ତାଙ୍କରି ଦୟା । ନହେଲେ ମୁଁ କ’ଣ ଏଭଳି କରିପାରିଥାନ୍ତି । ଜଗନ୍ନାଥ ହିଁ ମୋତେ ସବୁଠି ପରିଚୟ ଦେଇଛନ୍ତି’।
'ସିଏ ନିଜେ ନିଜେ ତିଆରି ହେଉଛନ୍ତି'
ଶ୍ରୀଜଗନ୍ନାଥ ମହାନ ରୂପକାର । ଆମ ସୃଷ୍ଟିର ସେ ମୂଳାଧାର । ମୁଁ କିଏ ଯେ ତାଙ୍କୁ ତିଆରି କରିବି । ମୋ ହାତରେ ସେ ନିଜେ ନିଜେ ତିଆରି ହେଉଛନ୍ତି । ମୁଁ ନିମିତ୍ତ ମାତ୍ର । ଏଭଳି କହନ୍ତି ଶିଳ୍ପୀ ଆଶୀର୍ବାଦ । କଲେଜରେ ପାଠପଢା ସହିତ ସେ ଚତୁର୍ଦ୍ଧାମୂର୍ତ୍ତି ତିଆରି କରୁଛନ୍ତି । ସବୁବେଳେ ସେ ହୃଦୟରେ ଭଗବାନଙ୍କ ଭାବକୁ ପିନ୍ଧି ନାଥଙ୍କୁ ତିଆରି କରିଥାନ୍ତି । ଆଶୀର୍ବାଦ କହନ୍ତି, ‘ଲକ୍ଷ୍ୟ ମୋର ଗୋଟିଏ । ପ୍ରଭୁ ଶ୍ରୀଜଗନ୍ନାଥ ମୋ ହାତରେ ଟିକେ ବିରାଜମାନ ହେଲେ ମୋ ଆତ୍ମା ଶାନ୍ତି । ଏ କାମରେ ଗର୍ବ ରଖିଲେ କଥା ସରିଲା । ହାତ ଥରିବ । ଭଗବାନଙ୍କର ମୂର୍ତ୍ତି ପୂରା ବେକାର ହୋଇଯିବ’ । ମାଟ୍ରିକ ପରୀକ୍ଷା ସରିବା ପରେ ଭିଣୋଇ ଭାଇଙ୍କ ପ୍ରେରଣାରେ ତୂଳି ଧରି ତିନି ବିଗ୍ରହଙ୍କ ମୁହଁରେ ରଙ୍ଗ ମାରିଥିଲେ ଆଶୀର୍ବାଦ । ରଙ୍ଗ ମାରୁ ମାରୁ ଭିଣୋଇଙ୍କ ପରି ସେ ବି ବିଗ୍ରହ ତିଆରି କଲେ । ତାଙ୍କ ହାତଗଢା ଶ୍ରୀଜଗନ୍ନାଥଙ୍କ ୭ଟି ବଡ଼ ବିଗ୍ରହ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ପାଉଛନ୍ତି । ଏବେ ଆଶୀର୍ବାଦ ଖୋର୍ଦ୍ଧା ଜିଲ୍ଲା ଗଡ଼ମାଣତୀର ଗ୍ରାମରେ ତିନି ବିଗ୍ରହ ଗଢିବାରେ ନିଜକୁ ନିୟୋଜିତ ରଖିଛନ୍ତି । ତାଙ୍କ କହିବାନୁଯାୟୀ ‘ମହାପ୍ରଭୁଙ୍କର ଅନେକ ବିଗ୍ରହ ଭିଣୋଇ ତିଆରି କରିଛନ୍ତି । ତାଙ୍କର ପ୍ରତ୍ୟେକ କାର୍ଯ୍ୟକୁ ଅନୁଧ୍ୟାନ କରି ମୁଁ କାମ ଶିଖିଛି । ତାଙ୍କ ପ୍ରେରଣାରୁ ମହାପ୍ରଭୁଙ୍କ କମନୀୟ ମୂର୍ତ୍ତି ତିଆରି କରିବାରେ ମୁଁ ସକ୍ଷମ ହୋଇପାରିଛି । ବିଗ୍ରହ ସବୁ ନିମ୍ବକାଠରେ ତିଆରି ହେଉଛି । ପୁରୁଣା ନିମ୍ବଗଛ ଚିହ୍ନଟ ପରେ ହୁଏ ପୂଜାର୍ଚ୍ଚନା, ଚ୍ଛେଦନ । ପରେ ଘରକୁ ଅଣାଯାଇ ବିଗ୍ରହ ନିର୍ମାଣର ଶୁଭ ଅନୁକୁଳ କରାଯାଇଥାଏ’ ।