ପରଜଙ୍ଗ,୩୧/୧: କୁକୁର ସହ ଖେଳୁ ଖେଳୁ ଜଙ୍ଗଲକୁ ଚାଲି ଯାଇଥିଲା ଶିଶୁପୁତ୍ର। ଦିନ ପରେ ବ୍ରିଜ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ । ମୃତ ଶିଶୁ ଜଣଙ୍କ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଚୁଳିଆ ମୁଣ୍ଡାସାହିର ଟୁନା ମୁଣ୍ଡାଙ୍କ ପୁଅ ଅଭିଜିତ ମୁଣ୍ଡା ବୋଲି ଜଣାପଡିଛି। ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣି ପଞ୍ଚାୟତ ସିଆରିମାଳିଆ ଗାଁରେ ଘଟିଛି। ଯାହାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଅଭିଜିତ କୁକୁର ସହିତ ଖେଳୁ ଖେଳୁ ଘରଠାରୁ ପ୍ରାୟ ୧ କିଲୋମିଟର ଦୂରକୁ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲା। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ଶିଶୁ ପୁତ୍ରଟିର ସନ୍ଧାନ ପାଇନଥିଲେ। ଆଜି ସକାଳୁ ସିଆରିମାଳିଆ ଗାଁ ବ୍ରିଜ ତଳ ନାଳରେ ଶିଶୁଟିର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ କାମାକ୍ଷାନଗର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ନାଳରେ ପଡି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।
ଏହି ଖବରଟିକୁ ପଢନ୍ତୁ- ନବୀନ ଥିବା ଯାଏ ଦ୍ବିତୀୟ ନେତୃତ୍ବ ପ୍ରଶ୍ନ ଉଠୁନି, ଆଗକୁ ଯାହା ଦାୟିତ୍ଵ ମିଳିବ କରିବି...