ନୂଆଦିଲ୍ଲୀ: ଚୀନର ହୈନାନ୍ ପ୍ରଦେଶରେ ଟାଇଫୁନ୍ ‘ଉତିପ୍’ ଲ୍ୟାଣ୍ଡଫଲ୍ କରିଛି । ଭୟାବହତାକୁ ଦୃଷ୍ଟିରେ ରଖି ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏକ ବଡ଼ ଧରଣର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଗୁରୁବାର ରାତି ୮ଟା ସୁଦ୍ଧା ନିର୍ମାଣ ସ୍ଥାନ, ବନ୍ୟାପ୍ରବଣ ତଳିଆ ଅଞ୍ଚଳ ଏବଂ ଭୂସ୍ଖଳନ ପ୍ରବଣ ଅଞ୍ଚଳରୁ ୧୬,୫୬୧ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ପ୍ରଦେଶର ୩୦,୭୨୧ ମାଛ ଧରିବା ଜାହାଜ ବନ୍ଦରକୁ ଫେରିଛି କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ୪୦ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ମଧ୍ୟ ଉପକୂଳକୁ ଫେରାଇ ଅଣାଯାଇଛି।
ଚୀନ୍ ଗଣମାଧ୍ୟମ ଜିହ୍ନୁଆରେ ପ୍ରକାଶିତ ଖବର ଅନୁସାରେ, ସ୍ଥାନୀୟ ସମୟ ରାତି ୧୧ଟାରେ ବାତ୍ୟା ଉପକୂଳ ଛୁଇଁଛି । ହୈନାନ୍ ପ୍ରଦେଶର ଡଙ୍ଗଫାଙ୍ଗ ସହର ଉପକୂଳରେ ସ୍ଥଳଭାଗ ଛୁଇଁଛି ଟାଇଫୁନ ଉତିପ୍ । ଲ୍ୟାଣ୍ଡଫଲ୍ କରିବା ପରେ ବାତ୍ୟା, ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବା ସହ ସାମାନ୍ୟ ଦୁର୍ବଳ ହୋଇଛି । ବାତ୍ୟାର କେନ୍ଦ୍ରଭାଗରେ ପବନର ବେଗ ୧୦୮ କିଲୋମିଟର ପ୍ରତି ଘଣ୍ଟା ରହିଛି । ଟାଇଫୁନ୍ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା କୁହାଯାଉଛି । ସ୍କୁଲ, କଲେଜ୍ ବନ୍ଦ ଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଚଳିତ ସପ୍ତାହରେ ଦକ୍ଷିଣ ଚୀନ୍ ସାଗରରେ ସୃଷ୍ଟ ବାତ୍ୟାର ନାଁ ଉତିପ ଏବଂ ଏହାର ଅର୍ଥ ପ୍ରଜାପତି । ଏହା ଜୁନ ୧୧ରେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଇଥିଲା ଏବଂ ବିକଟାଳ ରୂପ ଧରି ଉପକୂଳ ଆଡ଼କୁ ମାଡ଼ି ଆସିଥିଲା ।
ଟାଇଫୁନ୍ ପ୍ରଭାବରେ ହୈନାନ୍ ପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି । ପବନର ବେଗ ଅଧିକ ଥିବାରୁ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହାରି ମଧ୍ୟରେ, ହାଇନାନର ଦକ୍ଷିଣ-ପଶ୍ଚିମ ଉପକୂଳରୁ ପ୍ରାୟ ୨୬ କିଲୋମିଟର ଦୂରରେ ଏକ ମାଲବାହୀ ଜାହାଜରେ ଫସି ରହିଥିବା ୧୨ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ବର୍ତ୍ତମାନ ଉଦ୍ଧାର ଜାହାଜରେ ରଖାଯାଇଛି, ଯେଉଁଠାରେ ସେମାନଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଏବଂ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ପାଗ ଅନୁକୂଳ ହେଲେ ସେମାନଙ୍କୁ କୂଳକୁ ଅଣାଯିବ। ସେପଟେ ଟାଇଫୁନ୍ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇଉଠିଛି । ସମୁଦ୍ର କୂଳରେ ତିନି ମିଟର ଉଚ୍ଚର ଢେଉ ମାଡ଼ ହେଉଥିବା ଜଣାପଡ଼ିଛି ।