ଉଦଳା; ୫/୧ : ଭିଜିଲାନ୍ସ ଜାଲରେ ଦୁଇ ଇଞ୍ଜିନିୟର । ଠିକାଦାରଙ୍କଠାରୁ ଲାଞ୍ଚ ନେଇ ଧରା ପଡ଼ିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଜୁନିୟର ଇଞ୍ଜିନିୟର । ମୟୂରଭଞ୍ଜ ଜିଲ୍ଲା ଉଦଳା ସବଡିଭିଜନ ଉଠାଜଳସେଚନ ବିଭାଗର ଜେଇ ସୁବ୍ରତ ମହାନ୍ତି ଏବଂ ଏଇଇ ହରେକୃଷ୍ଣ ସିଂ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଜଣେ ଠିକାଦାରଙ୍କଠାରୁ ସେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଏଇଇ ୩୨ ହଜାର ଟଙ୍କା ନେଇଥିବାବେଳେ ଜଇେ ୨୮ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ ।
୨୫ ଲକ୍ଷ ଟଙ୍କାର ପ୍ରକଳ୍ପ ବିଲ୍ ପାସ୍ କରିବା ପାଇଁ ଏହି ଲାଞ୍ଚ ମାଗୁଥିଲେ । ସବୁ ବିଲ୍ ହୋଇଥିବାବେଳେ ୫ ଲକ୍ଷ ଟଙ୍କାର ବିଲ୍ ଅଟକାଇ ରଖିଥିଲେ । ଏହି ବିଲକୁ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ । ତେବେ ଏକ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାବେଳେ ୬୦ ହଜାର ଦେବାକୁ ରାଜି ହୋଇଥିଲେ । ମାତ୍ର ବାରମ୍ବାର ହଇରାଣ କରି ଟଙ୍କା ମାଗୁଥିବାବେଳେ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ଠିକାଦାର । ଭିଜିଲାନ୍ସ ବିଭାଗ ପକ୍ଷରୁ ୬୦ ହଜାର ଟଙ୍କା ଜବତ କରାଯାଇଥିବାବେଳେ ଏଇଇଙ୍କ ଲିଙ୍କରେ ଥିବା ୨ଟି ସ୍ଥାନ ଏବଂ ଜେଇଙ୍କ ୩ଟି ସ୍ଥାନରେ ଚଢ଼ାଉ ଚାଲିଛି ।