ମୁମ୍ବାଇ: ଇଭିଏମ୍‌ର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଉଥିବା ଶିବସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ଙ୍କୁ ସାକ୍ଷାତ କରିଛନ୍ତି । ନିର୍ବାଚନ ପରେ ପ୍ରଥମ ଥର ପାଇଁ ନାଗପୁରରେ ଫଡ଼ନବିସଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି ଉଦ୍ଧବ ଠାକରେ । ଏହି ସମୟରେ ଉଦ୍ଧବଙ୍କ ପୁଅ ଏବଂ ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ମହାରାଷ୍ଟ୍ରର ହିତ ଲାଗି ମିଳିତ ଭାବରେ କାର୍ଯ୍ୟ କରିବା ଉପରେ ଆଲୋଚନା ହୋଇଥିବା ନେଇ ଆଦିତ୍ୟ ଠାକରେ ସୂଚନା ଦେଇଛନ୍ତି । 

ଓ୍ବର୍ଲିର ବିଧାୟକ ଆଦିତ୍ୟ ଠାକରେ କହିଛନ୍ତି, ‘ଆମ ଦଳର ମୁଖ୍ୟ ଉଦ୍ଧବ ଠାକରେ ଆଜି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଏବଂ ବିଧାନସଭା ବାଚସ୍ପତି ରାହୁଲ ନାରଓ୍ବେକରଙ୍କୁ ସାକ୍ଷାତ କରିଛନ୍ତି । ଆମେ ବହୁ ଆଗକୁ ଯାଇ ଏହି ପଦକ୍ଷେପ ନେଇଛୁ । ଉଭୟ ପକ୍ଷ ରାଜନୈତିକ ପରିପକ୍ବତା ସହ କାମ କରିବା ଦରକାର । ଆମେ ବିରୋଧୀରେ ଥିବା ବେଳେ ସେମାନେ ମେଣ୍ଟ ସରକାରରେ ଅଛନ୍ତି । କିନ୍ତୁ ଆମେ ସମସ୍ତେ ଲୋକଙ୍କ ଦ୍ବାରା ନିର୍ବାଚିତ ଜନପ୍ରତିନିଧି ।’

ନାଗପୁରସ୍ଥିତ ବିଧାନ ଭବନରେ ଫଡ଼ନବିସଙ୍କୁ ଠାକରେ ଭେଟିଛନ୍ତି । ସେପଟେ ଏବେ ବିଧାନସଭାରେ ଶୀତ ଅଧିବେଶନ ମଧ୍ୟ ଚାଲିଛି । ହେଲେ ଏହି ସାକ୍ଷାତ ସୌଜନ୍ୟମୂଳକ ବୋଲି କୁହାଯାଉଛି । ଅତୀତରେ ଉଦ୍ଧବ ଠାକରେଙ୍କ ନେତୃତ୍ବାଧୀନ ଅବିଭାଜିତ ଶିବସେନା ବିଜେପି ସହ ମେଣ୍ଟ କରି ସରକାର ଗଢ଼ିଥିଲା । ପରବର୍ତ୍ତୀ ମସୟରେ ୨୦୧୯ରେ ବିଜେପି ଏବଂ ଶିବସେନା ମେଣ୍ଟ ଭାଙ୍ଗି ଯାଏ । ସେ ନା ଫଡ଼ନବିସ୍‌ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ବିବାଦ ଦେଖାଦିଏ । ସମସ୍ତଙ୍କୁ ଚକିତ କରି ଉଦ୍ଧବ ଠକାରେ ନିଜର ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ହାତ ମିଳାନ୍ତି । 

ମହାବିକାଶ ଅଘାଡ଼ି ସରକାର ଗଠନ ହେବା ସହ ଉଦ୍ଧବ ଠାକରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୁଅନ୍ତି । ଏହା ପରେ ୨୦୨୨ରେ ଶିବସେନାରେ ଫାଟ ସୃଷ୍ଟି ହେବା ସହ ଏକାନାଥ ସିନ୍ଦେଙ୍କ ନେତ୍ବତ୍ବରେ ଆଉ ଏକ ଶିବସେନା ଆତ୍ମପ୍ରକାଶ କରେ । ବାସ୍‌ ତାପରେ ପୁଣି ଥରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଉଠେ । ଏକନାଥ ସିନ୍ଦେ ବିଜେପିକୁ ସମର୍ଥନ ଦେବା ସହ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ହୁଅନ୍ତି । ପରବର୍ତ୍ତୀ ସମୟରେ ବିଜେପି-ସିନ୍ଦେଙ୍କ ଶିବସେନା ସହ  ଏନସିପିକୁ ଦୁଇ ଫାଳ କରି ଚାଲିଆସିଥିବା ଅଜିତ ପାଓ୍ବାର ହାତ ମିଳାଇ ସରକାରରେ ସାମିଲ ହୋଇଥିଲେ । ବର୍ତ୍ତମାନ ମହାରାଷ୍ଟ୍ରରେ ପୁଣି ଥରେ ମହାୟୁତି ସରକାର ଗଠନ ହୋଇଥିବା ବେଳେ ଫଡ଼ନବିସ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।