ନୂଆଦିଲ୍ଲୀ: କୁନାଲ କାମରାଙ୍କ ଥଟ୍ଟାକୁ ନେଇ ମହାରାଷ୍ଟ୍ର ରାଜ୍ୟ ରାଜନୀତିରେ ହଟ୍ଟଚମଟ ଆରମ୍ଭ ହୋଇଗଲାଣି। ଏହି ପରିପ୍ରେକ୍ଷିରେ ଶିବ ସେନା(ୟୁବିଟି)ର ମୁଖ୍ୟ ଉଦ୍ଧବ ଠାକରେ କୁନାଲଙ୍କୁ ନିଜ ସମର୍ଥନ ଜଣାଇଛନ୍ତି। କୁନାଲଙ୍କୁ ସମର୍ଥନ କରି ଠାକରେ କହିଛନ୍ତି ଯେ କୁନାଲ କିଛି ଭୁଲ କହିଛନ୍ତି ବୋଲି ମୁଁ ଭାବୁନାହିଁ। କାରଣ ‘ବିଶ୍ୱାସଘାତକ ସବୁବେଳ ପାଇଁ ବିଶ୍ୱାସଘାତକ’। କିନ୍ତୁ କେତେକ ଭୀରୁ ନିଜର ନେତାଙ୍କ ଅପମାନ ହୋଇଛି ଭାବି ସହ୍ୟ କରିପାରୁନାହାନ୍ତି।
କୁନାଲ କାମରା ଏକ ଶୋ ରେ ଯୋଗ ଦେଇ ସିନ୍ଦେଙ୍କୁ ନେଇ କମେଡି କରିବା ପରେ ମହାରାଷ୍ଟ୍ର ରାଜନୀତିରେ ଭୂକମ୍ପ ଆରମ୍ଭ ହୋଇଯାଇଛି। ଶିବସେନାର କାର୍ଯ୍ୟକର୍ତ୍ତାମାନେ ମୁମ୍ୱାଇରେ ଥିବା ହାବିଟାଟ ଷ୍ଟୁଡିଓ ଓ ହୋଟେଲରେ ପଶି ଭଙ୍ଗାରୁଜା କରିଛନ୍ତି। ଏହାସହ କୁନାଲଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଏକ ମେସେଜ ଜାରି କରି ଶିବସେନାର ବିଧାୟକ ରହୁଲ କନାଲ କାମରାଙ୍କୁ ଦମକ ମଧ୍ୟ ଦେଇଛନ୍ତି। ଏହି ଅଭିଯୋଗରେ ପୋଲିସ ୧୧ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ ମଧ୍ୟ କରିଥିବା ନେଇ ସୂଚନା ମିଳିଛି।
ଆପଣଙ୍କୁ ଜଣାଇରଖୁ ଯେ, ନୟା ଭାରତ ନାମକ ଏକ ଶୋ ନିକଟରେ ରିଲିଜ ହୋଇଛି। ଯେଉଁଠାରେ ଭାରତୀୟ ରାଜନୀତିକୁ ନେଇ ବିଭିନ୍ନ ଆଲୋଚନା ସମାଲୋଚନା ହୋଇଥିଲା। ଏହି ଶୋ ରେ ଭାଗ ନେଇ କୁନାଲ କାମରା ସିନ୍ଦେଙ୍କୁ ନେଇ ଥଟ୍ଟା କରିଥିଲେ। ସିନ୍ଦେଙ୍କ ନାମ ନନେଇ ସେ ତାଙ୍କୁ ଟାର୍ଗେଟ କରି କହିଥିଲେ ଯେ ନିଜ ଦଳ ଛାଡି ବିଜେପିରେ ମିଶିବା ପରେ ତାଙ୍କୁ ବିଶ୍ୱାସଘାତକ ବୋଲି କହିବା ଦରକାର। ଏହାପରେ ସେ ପରିହାସ ସ୍ୱରୁପ ଏକ ଗୀତ ମଧ୍ୟ ଗାଇଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। କୌଣସି ନେତାଙ୍କୁ ନେଇ ଅପମାନସୂଚକ ମନ୍ତବ୍ୟକୁ ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି। ଅନ୍ୟପଟେ ଏନସିପି ମୁଖ୍ୟ ଅଜିତ ପୱାର ‘ଅଧିକାର ମଧ୍ୟରେ ରହି କଥା କହିବାକୁ’ କହିଛନ୍ତି। ସେହିଭଳି ସିନ୍ଦେ ସେନା କାମରା, ସଞ୍ଜୟ ରାଉତ ଓ ଆଦିତ୍ୟ ଠାକରେଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାପଡିଛି।