ଷ୍ଟଟଗାର୍ଟ, ୦୭/୦୬: ନେସନ୍ସ ଲିଗର ଦ୍ୱିତୀୟ ସେମି ଫାଇନାଲରେ ଦୁଇ ପୂର୍ବତନ ବିଶ୍ୱ ଚାମ୍ପିଅନ ଫ୍ରାନ୍ସ ଓ  ସ୍ପେନ ନିଜ ନିଜର ପୂର୍ଣ୍ଣ ସାମର୍ଥ୍ୟ ସହ  ମୁହାଁମୁହିଁ ହୋଇଥିଲେ । ଲଢ଼େଇ ବେଶ ସଂଘର୍ଷପୂର୍ଣ୍ଣ ଥିଲା । କିନ୍ତୁ ଶେଷରେ ୧୭  ବର୍ଷୀୟ ଯୁବ ତାରକା ଲାମିନ ୟାମାଲଙ୍କ  ଡବଲ ଗୋଲ୍‌ ସହାୟତାରେ ସ୍ପେନ ୫-୪  ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମେ ସେମିରେ  ପର୍ତ୍ତୁଗାଲ ୨-୧ ଗୋଲରେ ଜର୍ମାନୀକୁ ହରାଇଥିଲା । ଆସନ୍ତା ୮ ତାରିଖରେ  ପର୍ତ୍ତୁଗାଲ ଓ ସ୍ପେନ ଫାଇନାଲ ଖେଳିବେ । 

ଫ୍ରାନ୍ସ-ସ୍ପେନ ମ୍ୟାଚ ବେଶ  ଚିତାକର୍ଷକ ହୋଇଥିଲା । ଫ୍ରାନ୍ସ  ଖେଳର ପରିସଂଖ୍ୟାନ ଦୃଷ୍ଟିରୁ (ସଟ୍‌,  ସଟ୍‌ ଟାର୍ଗେଟ, ପୋଜେସନ, ପାସ,  ପାସ୍‌ ଆକ୍ୟୁରେସୀ ଓ କର୍ଣ୍ଣର)  ସବୁଥିରେ ଅଗ୍ରଣୀ ରହିବି ମ୍ୟାଚ୍‌ ଜିତି  ପାରିନଥିଲା । ପ୍ରଥମ ଭାଗରେ ସ୍ପେନ ୨୨  (ନିକୋ ୱିଲିୟମ୍ସ ) ଓ ୨୫ ମିନିଟରେ  (ମିକେଲ ମେରିନୋ) ଗୋଲ୍‌ ଦେଇ  ଦଳକୁ ଅଗ୍ରଣୀ କରାଇଥିଲେ । ଦ୍ୱିତୀୟ  ଭାଗରେ ବି ସ୍ପେନ ପ୍ରଭାବ ବିସ୍ତାର  କରି ଖେଳିଥିଲା । ୟାମାଲ ୫୪  ମିନିଟରେ ଏକ ପେନାଲ୍ଟିକୁ ଗୋଲ ରୂପ  ଦେଇଥିଲେ । ସେମିତି ୬୭ ମିନିଟରେ  ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍‌ ସ୍କୋର  କରିଥିଲେ । ୫୫ ମିନିଟରେ ପେଡ୍ରି  ଦଳ ପାଇଁ ପଞ୍ଚମ ଗୋଲ୍‌ ଦେଇଥିଲେ ।

 ଫ୍ରାନ୍ସ ୫୯ ମିନିଟରେ ପେନାଲ୍ଟିରୁ  ପ୍ରଥମ ଗୋଲ ପରିଶୋଧ କରିଥିଲା ।  କିଲିଆନ ଏମ୍‌ବାପେ ଏହି ଗୋଲ୍‌  ଦେଇଥିଲେ । ୭୯ ମିନିଟରେ ରାୟାନ  ଚେର୍କି ଦ୍ୱିତୀୟ ଗୋଲ୍‌ ଦେବା ପରେ  ଦଳ ମନୋବଳ ଦୃଢ଼ ହୋଇଥିଲା ।  ୮୪ ମିନିଟରେ ସ୍ପେନ ପକ୍ଷରୁ ଏକ  ଆତ୍ମଘାତୀ ଗୋଲ ହେବା ପରେ ମ୍ୟାଚ୍‌  ସ୍ଥିତି ୫-୩ ହୋଇଥିଲା । ଶେଷରେ  ଇନ୍‌ଜ୍ୟୁରୀ ଟାଇମରେ (୯୦୍ମ୩) ଫ୍ରାନ୍ସ  ତୃତୀୟ ଗୋଲ୍‌ ଦେବା ପରେ ମ୍ୟାଚକୁ  ଅମୀମାଂସିତ ରଖିବା ନେଇ ତତ୍ପର ହୋଇ  ଉଠିଥିଲା । ମାତ୍ର ସ୍ପେନ ରକ୍ଷଣଭାଗ  ଆଉ ସୁଯୋଗ ଦେଇ ନଥିଲେ । ଶେଷରେ ଫ୍ରାନ୍ସ ୫-୪ ଗୋଲରେ  ପରାଜିତ ହୋଇ ବିଦାୟ ନେଇଥିଲା ।