ନୂଆଦିଲ୍ଲୀ: ରୁଷ ପାଖରୁ ତେଲ କ୍ରୟ କରୁଥିବାରୁ ଭାରତ ଉପରେ ଅତ୍ୟଧିକ ଶୁଳ୍କ ଲଗାଇଛି ଆମେରିକା । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତ ପାଖରୁ ୟୁକ୍ରେନ୍ ଡିଜେଲ୍ କ୍ରୟ କରିବ ନାହିଁ ବୋଲି ଚିନ୍ତା କରୁଛି । ୟୁକ୍ରେନର ଏକ ଶକ୍ତି ପରାମର୍ଶଦାତା ସଂସ୍ଥା ଏନକୋର ସୋମବାର ଘୋଷଣା କରିଛି ଯେ, ୟୁକ୍ରେନ ୧ ଅକ୍ଟୋବର ୨୦୨୫ ରୁ ଭାରତରୁ ଡିଜେଲ କ୍ରୟ ଉପରେ ରୋକ ଲଗାଇବ ।
ନ୍ୟୁଜ୍ ଏଜେନ୍ସି ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ , ଏନକୋର କହିଛି ଯେ, ଭାରତ ରୁଷରୁ ପ୍ରଚୁର ପରିମାଣରେ ଅଶୋଧିତ ତେଲ କିଣୁଛି । ତେଣୁ ୟୁକ୍ରେନକୁ ଏହି ପଦକ୍ଷେପ ନେବାକୁ ପଡିଛି। ରୁଷ ଡ୍ରୋନ୍ ଏବଂ ମିସାଇଲ୍ ସାହାଯ୍ୟରେ ୟୁକ୍ରେନ ତୈଳ ବିଶୋଧନାଗାରଗୁଡ଼ିକୁ ଟାର୍ଗେଟ କରୁଛି । କମ୍ପାନୀ ଅନୁଯାୟୀ, ୟୁକ୍ରେନ ସୁରକ୍ଷା ଏଜେନ୍ସିଗୁଡ଼ିକ ଭାରତରୁ ଆସୁଥିବା ସମସ୍ତ ଡିଜେଲ କନସାଇନମେଣ୍ଟଗୁଡ଼ିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଦ୍ଵାରା ରୁଷୀୟ ଉପାଦାନଗୁଡ଼ିକୁ ଚିହ୍ନଟ କରାଯାଇପାରିବ।
ଆଉ ଏକ ପରାମର୍ଶଦାତା A-95 ପୂର୍ବରୁ ରିପୋର୍ଟ କରିଥିଲା ଯେ, ଏହି ଗ୍ରୀଷ୍ମ ଋତୁରେ ୟୁକ୍ରେନର ଏକ ପ୍ରମୁଖ ତୈଳ ବିଶୋଧନାଗାର ଖରାପ ହୋଇଯାଇଛି । ଫଳରେ ବ୍ୟବସାୟୀମାନେ କ୍ଷତିପୂରଣ ପାଇଁ ଭାରତରୁ ଡିଜେଲ କିଣିବାକୁ ବାଧ୍ୟ ହୋଇଛନ୍ତି। ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଭାରତରୁ ଡିଜେଲ କିଣିଥିଲା ।
ଏନକୋର କହିଛି ଯେ, ୟୁକ୍ରେନ ଅଗଷ୍ଟ ୨୦୨୫ ରେ ଭାରତରୁ ୧୧୯,୦୦୦ ଟନ୍ ଡିଜେଲ କିଣିଥିଲା । ଏହାର ମୋଟ ଡିଜେଲ ଆମଦାନୀର ୧୮ ପ୍ରତିଶତ । ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ, ୟୁକ୍ରେନ ଏହାର ଘରୋଇ ଅଭାବ ପୂରଣ କରିବା ପାଇଁ ବେଲାରୁଷ ଏବଂ ରୁଷରୁ ଡିଜେଲ କିଣିଥିଲା। ଏ-95 କନସଲଟାନ୍ସି କହିଛି ଯେ, ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଡିଜେଲ ଆମଦାନୀ ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ହ୍ରାସ ପାଇ ୨.୭୪ ନିୟୁତ ମେଟ୍ରିକ୍ ଟନ୍ ହୋଇଛି ।ଭାରତ ମଧ୍ୟପ୍ରାଚ୍ୟ ତୁଳନାରେ ଶସ୍ତା ହୋଇଥିବାରୁ ରୁଷରୁ ତେଲ କିଣେ । ଦୁଇ ସ୍ଥାନ ମଧ୍ୟରେ ମୂଲ୍ୟରେ ବହୁତ ପାର୍ଥକ୍ୟ ଅଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ।