ନୂଆଦିଲ୍ଲୀ: ବୁଧବାର ରୁଷ ୟୁକ୍ରେନ ଉପରେ ଆଉ ଏକ ବଡ଼ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯେଉଁଥିରେ ୟୁକ୍ରେନର ଅନେକ ପ୍ରମୁଖ ଶକ୍ତି ପ୍ରତିଷ୍ଠାନ ନଷ୍ଟ ହୋଇଛି । ଏହି ଆକ୍ରମଣରେ ଅତି କମରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ୟୁକ୍ରେନୀୟ ଅଧିକାରୀ ମାନେ ସୂଚନା ଦେଇଛନ୍ତି ଯେ, ଆକ୍ରମଣରେ ୧୮ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ଯୋଜନାବଦ୍ଧ ବୈଠକକୁ ସ୍ଥଗିତ ରଖିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି । ସେ କହିଛନ୍ତି ଯେ,ସେ ତାଙ୍କର ସମୟ ନଷ୍ଟ କରିବାକୁ ଚାହୁଁନାହାଁନ୍ତି।
ୟୁକ୍ରେନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ, ରୁଷ ରାତାରାତି ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ବଡ଼ ଧରଣର ଆକ୍ରମଣ ଆରମ୍ଭ କରିଛି। ଏହି ଆକ୍ରମଣ ବୁଧବାର ସକାଳ ପର୍ଯ୍ୟନ୍ତ ଜାରି ରହିଥିଲା। ଏହି ଆକ୍ରମଣର ଲକ୍ଷ୍ୟ ଥିଲା ଶୀତ ଦିନ ପୂର୍ବରୁ ୟୁକ୍ରେନର ଶକ୍ତି ବ୍ୟବସ୍ଥାକୁ ନଷ୍ଟ କରିବା। ୟୁକ୍ରେନୀୟ ଅଧିକାରୀଙ୍କ ଅନୁଯାୟୀ, ଏହି ଆକ୍ରମଣ ସାରା ଦେଶରେ ବିଦ୍ୟୁତ୍ ଯୋଗାଣକୁ ବାଧାପ୍ରାପ୍ତ କରିଥି। ଏବେ ମରାମତି ଚାଲିଛି ଏବଂ ଯଥାଶୀଘ୍ର ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ପ୍ରୟାସ କରାଯାଉଛି।
ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନ୍ସକି ରୁଷ ଆକ୍ରମଣ ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ରୁଷ ଏବେ ବି ଯୁଦ୍ଧକୁ ଲମ୍ବାଇବାକୁ ଚାହୁଁଛି, କାରଣ ଏହା ଏବେ ବି ନିଜ ଉପରେ ସାରା ବିଶ୍ବର ଚାପକୁ ଅନୁଭବ କରୁନାହିଁ। ସେ କହିଛନ୍ତି ଯେ ଆକ୍ରମଣ ଗୁଡ଼ିକ କିଭ୍,ଜାପୋରିଝିଆ,ଓଡେସା, ଚେର୍ନିହିଭ୍,କିରୋଭୋହ୍ରାଦ୍,ପୋଲ୍ଟାଭା, ଭିନିତ୍ସିଆ, ଚେର୍କାସି ଏବଂ ସୁମି ସମେତ ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷତି କରିଛି। ଜେଲେନ୍ସକି ୟୁରୋପୀୟ ସଂଘ, ଆମେରିକା ଏବଂ G7 ଦେଶ ଗୁଡ଼ିକୁ ରୁଷ ଉପରେ ନୂତନ କଟକଣା ଲାଗୁ କରିବାକୁ ଆହ୍ୱାନ କରିଛନ୍ତି।