ନୂଆଦିଲ୍ଲୀ,୨୭/୦୭: ରେୟାର୍‌  ଆର୍ଥ ଖଣିଜ ପଦାର୍ଥ ଯୋଗାଣକୁ ନେଇ  ଦେଖାଦେଇଛି ଅନିଶ୍ଚିତତା । ଚୀନ୍‌ର  ରପ୍ତାନି କଟକଣା ଭାରତୀୟ ଇଲେକ୍ଟ୍ରୋନିକ୍ସ  ଉପକରଣ ନିର୍ମାତାଙ୍କୁ ବାଧିଲାଣି । ଅଧିକାଂଶ  ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣରେ  ରେୟାର୍‌ ଆର୍ଥ ପ୍ରମୁଖ ଭୂମିକା ଗ୍ରହଣ  କରିଥାଏ ।  

ଏଭଳି ସ୍ଥିତିରେ ଇଲେକ୍ଟ୍ରୋନିକ୍ସ  ଉପକରଣ ବିନିର୍ମାଣ ସ୍କିମ୍‌(ଇସିଏମ୍‌)ର  କେତେକ ଆବେଦକ ସରକାରଙ୍କୁ ସତର୍କ  କରିଛନ୍ତି ଯେ, ସେମାନେ ହୁଏତ ପ୍ରଥମ ବର୍ଷ  ପାଇଁ ଇନ୍‌ସେଣ୍ଟିଭ୍‌-ଲିଙ୍କ୍‌ଡ ବା ସବ୍‌ସିଡିସଂଯୁକ୍ତ ଟାର୍ଗେଟ ପୂରଣ କରିପାରିବେ ନାହିଁ ।  ଏହି ରେୟାର୍‌ ଆର୍ଥ ଅଭାବ ସ୍ଥିତି ଆଉ ୬  ମାସ ରହିଲେ ପରିସ୍ଥିତି ଭୟଙ୍କର ହେବ  ବୋଲି ଏମାନେ ଚେତାବନୀ ଦେଇଛନ୍ତି ।  

ଏ ସ୍କିମ୍‌ ଅଧୀନରେ ଆବେଦନ  ସଂଖ୍ୟା ୧୧୦ ପାର୍‌ କରିଥିବାବେଳେ  ଅନ୍ୟୁନ ୧୦ଟି କମ୍ପାନି ରେୟାର୍‌ ଆର୍ଥ  ସଂକଟକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ।  ଶିଳ୍ପ ଉତ୍ପାଦନ ସମ୍ପ୍ରସାରଣ କରିବା ସହ  ରପ୍ତାନି ପଦଚିହ୍ନ ବଢ଼ାଉଥିବା ସ୍ଥିତିରେ  ଏ ସମସ୍ୟା କମ୍ପାନିଗୁଡ଼ିକ ପାଇଁ ଆହ୍ନାନ ଆଣିଥିବା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା  ପ୍ରଯୁକ୍ତି ମନ୍ତ୍ରାଳୟର ଅଧିକାରୀ ଏବଂ ଶିଳ୍ପ  ପ୍ରତିନିଧିମାନେ ପ୍ରକାଶ କରିଛନ୍ତି । 

ରେୟାର୍‌ ଆର୍ଥ ସଂକଟ ଯୋଗୁ  କେତେକ ଉପକରଣକୁ କମ୍ପାନିଗୁଡ଼ିକ  ଘରୋଇ ସ୍ତରରେ ପ୍ରସ୍ତୁତ କରିବା ବଦଳରେ  ଆମଦାନି କରିବାକୁ ଚାହୁଁଛନ୍ତି । ଯଦି ଏକ  ଉପକରଣ ରେୟାର୍‌ ଆର୍ଥ ବ୍ୟବହାର  କରିଥାଏ ତେବେ ରେୟାର୍‌ ଆର୍ଥକୁ ଆମଦାନି  କରି ଉକ୍ତ ଉପକରଣକୁ ଭାରତରେ ପ୍ରସ୍ତୁତ  କରିବା ବଦଳରେ ଏହାକୁ ସିଧାସଳଖ  ଆମଦାନି କରିବା ଉପରେ କମ୍ପାନିଗୁଡ଼ିକ  ଏବେ ଗୁରୁତ୍ୱ ଦେଉଛନ୍ତି ।   

ଅଧିକାରୀମାନଙ୍କ କହିବାନୁସାରେ,  ଅନ୍ୟାନ୍ୟ ବିକଳ୍ପ ରହିଛି, ଯେପରି  ଯୋଗାଣର ବିକଳ୍ପ ଉତ୍ସ କିମ୍ବା ରେୟାର୍‌ ଆର୍ଥ  ବ୍ୟବହାର କରୁ ନ ଥିବା ବିକଳ୍ପ ପ୍ରଯୁକ୍ତି ।  ଚୀନ୍‌ ଦ୍ୱାରା ଲଗାଯାଇଥିବା କଟକଣାରୁ ସୃଷ୍ଟି  ହୋଇଥିବା ଅଭାବ ସ୍ଥିତି ବର୍ତ୍ତମାନ ଏକ ବଡ଼  ଆହ୍ୱାନ ଭାବେ ଛିଡ଼ାହୋଇଛି ।  

ଇଣ୍ଡିଆ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ୍‌  ସେମିକଣ୍ଡକ୍ଟର ଆସୋସିଏସନ୍‌  (ଆଇଇଏସ୍‌ଏ)ର ଅଧ୍ୟକ୍ଷ ଅଶୋକ ଚଣ୍ଡକ  କହିଛନ୍ତି ଯେ, ଇଲେକ୍ଟ୍ରୋନିକ୍ସ ଉପକରଣ  ବିନିର୍ମାଣ ସ୍କିମ୍‌କୁ ଏଭଳି ସମୟରେ  ଅଣାଯାଇଛି, ଯେତେବେଳେ ଅଧିକାଂଶ  କମ୍ପାନି ରପ୍ତାନି ବଢ଼ାଇବାକୁ ଚାହୁଁଛନ୍ତି । ପାରମ୍ପରିକ ଶିଳ୍ପ ବାଦ ଅଧିକାଂଶ ଭାରତୀୟ  କମ୍ପାନି ଉପକରଣ ବିନିର୍ମାଣ ଆଡ଼କୁ  ବଢୁଛନ୍ତି । କିନ୍ତୁ ବର୍ତ୍ତମାନ ରେୟାର୍‌ ଆର୍ଥ  ମ୍ୟାଗ୍‌ନେଟ୍‌ର ଯୋଗାଣ ସମସ୍ୟା ଯୋଗୁ  ଶିଳ୍ପ ପ୍ରଭାବିତ ହୋଇଛି । 

ପ୍ରାୟ ସମସ୍ତ ଆଧୁନିକ ଇଲେକ୍ଟ୍ରୋନିକ୍‌  ଡିଭାଇସ୍‌ରେ ବ୍ୟବହାର ହେଉଥିବା  ଉପକରଣଗୁଡ଼ିକ ପାଇଁ ଏକ ଦୃଢ଼ ଘରୋଇ  ବିନିର୍ମାଣ ଇକୋସିଷ୍ଟମ୍‌ ତିଆରି କରିବାରେ  ୨୨,୯୧୯ କୋଟି ଟଙ୍କାର ଏହି ଇଲେକ୍ଟ୍ରୋନିକ୍ସ  ଉପକରଣ ବିନିର୍ମାଣ ସ୍କିମ୍‌(ଇସିଏମ୍‌)  ସହାୟକ ହେଉଛି । ଏହି ଉପକରଣଗୁଡ଼ିକ  ମଧ୍ୟରେ ରହିଛି ବହୁ-ସ୍ତରୀୟ ପ୍ରିଣ୍ଟେଡ୍‌  ସର୍କିଟ୍‌ ବୋର୍ଡ(ପିସିବି) ଏବଂ ଡିଜିଟାଲ  ଆପ୍ଲିକେଶନଗୁଡ଼ିକ ପାଇଁ ଲାୟନ୍‌ ସେଲ୍‌,  ରେସିଷ୍ଟର୍ସ, କାପାସିଟର ଏବଂ ଇଣ୍ଡକ୍ଟର୍ସ  ଭଳି ପାସିଭ୍‌ ଉପକରଣ । ଡିସ୍‌ପ୍ଲେ ଏବଂ  କ୍ୟାମେରା ମଡ୍ୟୁଲ୍‌ ମଧ୍ୟ ଏହା ମଧ୍ୟରେ ରହିଛି । ରେୟାର୍‌ ଆର୍ଥ ଉପକରଣ ଉପରେ  ଚୀନ୍‌ ରପ୍ତାନି କଟକଣା ଲଗାଇବାର ମାସେ  ପରେ ଇସିଏମ୍‌ ପାଇଁ ମେ’ ମାସରେ  ଆବେଦନ ଖୋଲିଥିଲା । 

ପ୍ରକାଶଯୋଗ୍ୟ,  ବିଶ୍ୱ ରେୟାର୍‌ ଆର୍ଥ ପ୍ରୋସେସିଂ କ୍ଷମତାର  ୯୦%ରୁ ଊଦ୍ଧ୍ୱର୍କୁ ନିୟନ୍ତ୍ରଣ କରିଥାଏ ଚୀନ୍‌  ଏବଂ ଏଠାରେ ରେୟାର୍‌ ଆର୍ଥର ବିଶାଳ  ଭଣ୍ଡାର ରହିଛି ।