ଭୁବନେଶ୍ୱର,୧୪/୧୧: ସଚିବାଳୟ ପଛକୁ ଯିବ। ଏବେ ଯେଉଁଠି ପାଚେରି ଅଛି, ତାହା ପାଖାପାଖି ୨୦ରୁ ୩୦ ମିଟର ପଛକୁ ଘୁଞ୍ଚିଯିବ । ଚଉଡ଼ା ହେବ ସଚିବାଳୟ ମାର୍ଗ । ଏହାପରେ କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯିବ । ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ । ଭୂତଳ ରାସ୍ତା ଫିଟିବା ସହ ଉପରେ ବି ଗୋଟିଏ ରାସ୍ତା ରହିବ । ଏଭଳି ଏକ ଯୋଜନାକୁ ନେଇ ଆଗକୁ ବଢ଼ୁଛି ପୂର୍ତ୍ତ ବିଭାଗ ।

ସୂତ୍ର ଅନୁସାରେ, ପ୍ରଥମେ ସଚିବାଳୟର ରୂପରେଖ ବଦଳିବ । ପାଚେରି ପଛକୁ ଘୁଞ୍ଚିବା ପରେ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ଜାଗା ବାହାରିବ । କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଓ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଦୁଇ ପଟେ ଦୁଇ ଥାକିଆ ରାସ୍ତା ହେବ । ଭୂତଳ ରାସ୍ତାଟି ଭିତରକୁ ୩ ମିଟର ଗଭୀର ଓ ଉପରକୁ ପ୍ରାୟ ଦେଢ଼ ମିଟର ଉଠି କରି ରହିବ । ଏହା ଉପରେ ଆଉ ଗୋଟିଏ ରାସ୍ତା ରହିବ । ରାଜଭବନ-ରାଜମହଲ ଓ ୟୁନିଟ୍-୧ ରାଜଭବନ ଦିଗରେ ଯାଉଥିବା ଗାଡ଼ିମୋଟର ଉପର ରାସ୍ତା ଦେଇ ଯା’ ଆସ କରିବ । କ୍ୟାପିଟାଲ ହସ୍ପିଟାଲ-ସଚିବାଳୟ ଓ ସଚିବାଳୟ-କ୍ୟାପିଟାଲ ହସ୍ପିଟାଲକୁ ଯା’ ଆସ ପାଇଁ ଭୂତଳ ରାସ୍ତାରେ ଯିବ ଗାଡ଼ିମୋଟର ।

ସେହିପରି ଭୁବନେଶ୍ୱର ସହରରେ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ଯୋଜନା ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସରେ କଳ୍ପନା ଛକ ଫ୍ଲାଏଓଭର ପାଇଁ ଟେଣ୍ଡର ଆହ୍ୱାନ କରାଯିବ । ଜୟଦେବବିହାର ରାସ୍ତାକୁ ୮ ଲେନ୍ କରିବା ପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ବର୍ତ୍ତମାନ ୬ ଲେନ୍ ରାସ୍ତା ଥିବାବେଳେ ଏହାକୁ ଚଉଡ଼ା କରି ୮ ଲେନ୍ କରାଯିବ । ନାଲକୋ ଛକ ଓ କିଟ ଛକରେ ଫ୍ଲାଏଓଭର ହେବ । ଏହାସହ ଗୋଟିଏ ଲେନ୍ ସର୍ଭିସ୍ ରାସ୍ତା ରହିବ । ଏହି ପ୍ରକଳ୍ପ ପାଇଁ ୯୨୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିପାଇଁ ଡିପିଆର ଚୂଡ଼ାନ୍ତ ହୋଇସାରିଛି । ଏମ୍ସ ରାସ୍ତାକୁ ଚଉଡ଼ା କରାଯିବା ସହ ଏହାର ଉନ୍ନତିକରଣ କରିବାକୁ ଯୋଜନା ରହିଛି । ବ୍ୟସ୍ତବହୁଳ ଖଣ୍ଡଗିରି-ଜାଗମରା ରାସ୍ତାକୁ ଏଲିଭେଟେଡେ୍ କରିଡର ରୂପ ଦେବାକୁ ଯୋଜନା କରାଯାଉଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ହୋଇଛି । ଏଥିରେ ଭୁବନେଶ୍ୱର, ପୁରୀ ସହ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଛି ।

ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସିକା ବାଇପାସ୍, କଟକ ଓଏମପି-କନ୍ଦରପୁର-ପାରାଦୀପ ସଡ଼କ ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ନୂଆ ପ୍ରକଳ୍ପ ସହ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ଶେଷ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସୱାସ୍ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସୱାସ୍ ମାଧ୍ୟମରେ ଶୁଭାରମ୍ଭ ହୋଇଛି । ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ଇଆଇସି(ସିଭିଲ୍) ଲକ୍ଷ୍ମୀକାନ୍ତ ପାଢ଼ି, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ (ରାସ୍ତା-୧) ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ (ବିଲ୍ଡିଂ-୧) ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ଯନ୍ତ୍ରୀ(ରାସ୍ତା -୨) ଇଂ ଶିବବ୍ରତ ତରିଆ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନିଲ କୁମାର, ଭୁବନେଶ୍ୱର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ଏବଂ ଏନ୍ଏଚ୍ଏଆଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।