ପୁରୀ,୧୭/୧୦: ପୁରୀରେ ପ୍ରତିଷ୍ଠା  ହେବ ଭୂତଳ ଜଳ ଚିଡ଼ିଆଖାନା ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ । ଏନେଇ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପଦକ୍ଷେପ ନେଇଛି । ଏହି ପ୍ରକଳ୍ପ ପରିକଳ୍ପନା,  ପ୍ରତିଷ୍ଠା ଓ ପରିଚାଳନା ନିମନ୍ତେ ବିଭାଗ ପକ୍ଷରୁ  ଆଗ୍ରହୀ ଅନୁଷ୍ଠାନ ଏନେଇ ପ୍ରସ୍ତାବ ଦେବାକୁ  ଜାରି ଅବଧିକୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ  ବୃଦ୍ଧି କରାଯାଇଛି । ପୁରୀ ସମୁଦ୍ରକୂଳ ନିକଟରେ ପ୍ରକଳ୍ପ କରିବାକୁ ଲକ୍ଷ୍ୟ ରହିଛି । ପ୍ରସ୍ତାବଗୁଡ଼ିକୁ  ନଭେମ୍ବର ୪ ତାରିଖରେ ଅନୁଧ୍ୟାନ କରାଯିବ ଓ  ୧୫ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ  ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ  ପ୍ରସ୍ତାବ ଗ୍ରହଣ ଅବଧି ଗତ ମାସ ୩୦ ତାରିଖ ଓ  ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତା ୩୦ ତାରିଖ ହେବାର ଥିଲା ।

ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ପ୍ରତିବର୍ଷ  କୋଟିଏରୁ ଅଧିକ ଦେଶୀ ବିଦେଶୀ ପର୍ଯ୍ୟଟକ  ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ  ବିଭାଗ ପୁରୀରେ ଏକାଧିକ ପର୍ଯ୍ୟଟନ ଆକର୍ଷଣସ୍ଥଳ  ନିର୍ମାଣ ନିମନ୍ତେ ଯୋଜନା କରୁଛି । କିଛି ସରକାର  ନିଜେ କରିବେ ଓ କିଛି ବେସରକାରୀ ଅନୁଷ୍ଠାନ  ଜରିଆରେ କରିବାକୁ ସରକାର ରଣନୀତି ପ୍ରସ୍ତୁତ  କରିଛନ୍ତି । ଯାହା ଭିତରେ ପର୍ଯ୍ୟଟକଙ୍କୁ ଆଉ  ଏକ ଆମୋଦିତ ସ୍ଥଳ ଦେବା ଲକ୍ଷ୍ୟରେ ପୁରୀ  ବେଳାଭୂମି ନିକଟରେ ଏକ ଭୂତଳଜଳ ଚିଡ଼ିଆଖାନା  ଓ ବିଶ୍ୱସ୍ତରୀୟ ସାମୁଦ୍ରିକ ଆକ୍ୱାରିୟମ କରିବାକୁ  ଯୋଜନା ପ୍ରସ୍ତୁତ ହୋଇଛି । ସରକାର ପ୍ରକଳ୍ପ ନିମନ୍ତେ  କମ୍‌ ଦରରେ ଜମି ଯୋଗାଇଦେବେ । ଯେତେବେଳେ  କି ଘରୋଇ ସଂସ୍ଥା ଏହି ପ୍ରକଳ୍ପ ପରିକଳ୍ପନା, ପ୍ରତିଷ୍ଠା ଓ ପରିଚାଳନା ପ୍ରଭୃତି ସମସ୍ତ ଖର୍ଚ୍ଚ ଉଠାଇବ । ପ୍ରକଳ୍ପ କରିବାରେ ଆବଶ୍ୟକ ପାଣ୍ଠି ଯୋଗାଡ଼ରେ  ମଧ୍ୟ ଆଗ୍ରହୀ ସଂସ୍ଥାକୁ ସରକାର ସାହାଯ୍ୟ କରିବେ ।  ପରିବେଶ ନିୟମକୁ ପାଳନ ସହ ପ୍ରକଳ୍ପ ପ୍ରତିଷ୍ଠା  ଓ ପରିଦର୍ଶନ ବ୍ୟବସ୍ଥା କରିବାକୁ ହେବ ।

ସୂଚନାଥାଉକି, ପୁରୀ ରେଳ ଷ୍ଟେସନ ନିକଟ  ନୀଳାଚଳ ଅର୍ବାନ ହାଟ ସମ୍ମୁଖ ଜମିରେ ମେଗା  ସାମୁଦ୍ରିକ୍‌ ଆକ୍ୱାରିୟମ ପ୍ରକଳ୍ପ କରିବାକୁ ୨୦୦୯  ଭିତ୍ତିପ୍ରସ୍ତର ପଡ଼ିଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏହି ଭିତ୍ତିପ୍ରସ୍ତର ଦେଇଥିଲେ । ଦୁବାଇ  ଭଳି ସହରରେ ଥିବା ସାମୁଦ୍ରିକ ମେରାଇ ଆକ୍ୱାରିୟମ  ପ୍ରକଳ୍ପ ଅନୁରୂପ ପ୍ରକଳ୍ପକୁ ଏଠାରେ କରିବାକୁ ଯୋଜନା  ଥିଲା । ଏହି ସ୍ଥାନ ସମୁଦ୍ରକୂଳ ଠାରୁ ମାତ୍ର ୨୦୦ ମିଟର  ଦୂର । ଏଥିନିମନ୍ତେ ୫ କୋଟି ଟଙ୍କା ମଂଜୁର ମଧ୍ୟ  ହୋଇଥିଲା । ହେଲେ ପ୍ରକଳ୍ପ ହୋଇପାରିଲା ନାହିଁ ।