ଡେରାଡୁନ,୧୯/୧୦: ଅବସରପ୍ରାପ୍ତ ଆଇଏଏସ୍‌  ଅଫିସର ଶତ୍ରୁଘ୍ନ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୟୁସିସି (ସମାନ  ନାଗରିକ ସଂହିତା) କମିଟି ଶୁକ୍ରବାର ତାଙ୍କ ରିପୋର୍ଟ ଉତ୍ତରାଖଣ୍ଡ  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟରେ  କିଭଳି ଭାବେ ୟୁସିସି ଲାଗୁ କରାଯିବ ସେହି ସଂକ୍ରାନ୍ତରେ  ସବିଶେଷ ଯୋଜନା ଓ ପ୍ରସ୍ତାବ ଏହି ଚିଠା ରିପୋର୍ଟରେ ସ୍ଥାନ  ପାଇଛି । ରାଜ୍ୟ କ୍ୟାବିନେଟ ବୈଠକ ବସି ରିପୋର୍ଟ ଉପରେ  ବିଚାରବିମର୍ଶ କରାଯିବ ଏବଂ କେବେଠାରୁ ଏହାକୁ ଲାଗୁ  କରାଯିବ ସେ ନେଇ ଦିନଧାର୍ଯ୍ୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

ସେ କହିଛନ୍ତି ରିପୋର୍ଟରେ ୪ଟି ଭାଗ  ରହିଛି । ଯଥା ବିବାହ ପଞ୍ଜିକରଣ ଓ ବିଚ୍ଛେଦ, ଲିଭ୍‌-ଇନ୍‌-ସମ୍ପର୍କ, ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଏବଂ ଉତ୍ତରାଧିକାରୀ  ଆଇନ ଆଦି ସମ୍ପର୍କରେ ରିପୋର୍ଟରେ ସବିଶେଷ ପ୍ରସ୍ତାବ  ରହିଛି । ୟୁସିସି ଲାଗୁ କରିବାକୁ ହେଲେ ରାଜ୍ୟରେ ଅଫିସର ଓ ସରକାରୀ କର୍ମଚାରୀଙ୍କୁ ତାଲିମ ଦେବାକୁ ପଡିବ । ଜନସାଧାରଣ  ଯେଭଳି ସହଜରେ ୟୁସିସିକୁ ବୁଝିପାରିବେ ସେଥିପାଇଁ ଏକ  ମୋବାଇଲ ଆପ୍‌ ଓ ପୋର୍ଟାଲର ମଧ୍ୟ ବ୍ୟବସ୍ଥା କରାଯାଇଛି । ଦେବଭୂମି ଉତ୍ତରାଖଣ୍ଡରେ ପ୍ରତ୍ୟେକ ନାଗରିକ ସମାନ ନ୍ୟାୟ  ପାଇବେ । ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଦୃଷ୍ଟିରେ ରଖି  ବିଲ୍‌ ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ୟୁସିସି ଲାଗୁ  ହେବ । ସ୍ୱାଧୀନତା ପରେ ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ  ୟୁସିସି ଲାଗୁ କରିବାକୁ ଯାଉଛି ବୋଲି ଧାମି କହିଛନ୍ତି ।