ଭୁବନେଶ୍ୱର,୧୦/୧୧: ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ। ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତା ଓ କର୍ମୀ। କେନ୍ଦ୍ରମନ୍ତ୍ରୀ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି, ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେବେ। 

କେନ୍ଦ୍ର ମନ୍ତ୍ରୀ ସୋମବାର ସକାଳେ ପାଟନାରୁ ବାହାରି ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ । ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ ବି ଲାଗେ । କମ୍ ପାଣି ଓ ଖରାପ ମାଟିରେ ଏହା ମଧ୍ୟ ଉତ୍ପାଦନ ହୋଇପାରିବ । ଆଗାମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରସାସ କରାଯାଉଛି। ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ କାର୍ଯ୍ୟ କରିବାର ଅଛି । 

 

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହେବାକୁ ଥିବା  "ମାଣ୍ଡିଆ ଦିବସ’ (ମିଲେଟ୍‌ ଡେ')  କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେବେ । ଏଥିରେ ସେ ଓଡ଼ିଶା ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମିଲେଟ୍‌ସ  (ଶ୍ରୀ ଅନ୍ନ) ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ଉପଯୋଗକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବିଷୟରେ ବକ୍ତବ୍ୟ ରଖିବେ । କୃଷକଙ୍କ ଆୟ ବୃଦ୍ଧି ଏବଂ  ଗ୍ରାମୀଣ ଅର୍ଥ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଶ୍ରୀଅନ୍ନକୁ ପ୍ରୋତ୍ସାହିତ କରିବା ଉପରେ ଆଲୋଚନା ବି କରାଯିବ । ପରେ କେନ୍ଦ୍ରମନ୍ତ୍ରୀ କଟକ ଜିଲ୍ଲାର ସଦର ଅଞ୍ଚଳ ଗସ୍ତ କରିବେ, ଯେଉଁଠାରେ ସେ କୃଷି କ୍ଷେତ୍ର ପରିଦର୍ଶନ କରିବେ ଏବଂ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରିବେ । ଅପରାହ୍ନରେ ସେ କଟକର ବିଦ୍ୟାଧରପୁରରେ ଆଇସିଏଆର୍‌-କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ବୈଠକରେ ଯୋଗଦେବେ । ବୈଠକରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ଆତ୍ମନିର୍ଭରଶୀଳତା ମିଶନ ଉପରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିବେ।