ଭୁବନେଶ୍ବର,୨/୫ : ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ଓ ୨୦୪୭ ସୁଦ୍ଧା ଭାରତ ସ୍ୱତନ୍ତ୍ରତାର ଶତବାର୍ଷିକୀ ପାଳନ କରିବ । ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ଲକ୍ଷ୍ୟ ପୂରଣ କରିବାକୁ ହେଲେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏବେ ଠାରୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ହେବ । ସର୍ବୋପରି, କ୍ୟାମ୍ପସ୍ରେ ଖେଳ, କଳା, ଦକ୍ଷତା ଭିତ୍ତିକ ଶିକ୍ଷା ଏବଂ ସେବା ମନୋଭାବ ସୃଷ୍ଟି କରି ଏକ ସୃଜନଶୀଳ ସଂସ୍କୃତି ଗଢ଼ିବା ସହ ଓଡ଼ିଶାର ସାଢ଼େ ଏକ କୋଟି ଯୁବପିଢ଼ିଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଏ ଲକ୍ଷ୍ୟକୁ ପୂରଣ କରିବା ଦିଗରେ ଜାତୀୟ ଶିକ୍ଷାନୀତି କର୍ମଶାଳା ଏକ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶନିବାର ଭୁବନେଶ୍ୱର ଠାରେ ଜାତୀୟ ଶିକ୍ଷା ନୀତି-୨୦୨୦ର କାର୍ଯ୍ୟକାରିତା ଏବଂ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଦୁଇଦିନିଆ କର୍ମଶାଳା “ପ୍ରଜ୍ଞା ପ୍ରେରଣା”ର ଉଦଘାଟନୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ଶିକ୍ଷାନୀତି ଓ ଉଚ୍ଚ ଶିକ୍ଷାରେ ସଂସ୍କାର ମୂଳକ କର୍ମଶାଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ। ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ କୁଳପତି, ବିଭିନ୍ନ ଡିଗ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ରାଜ୍ୟ ଏବଂ ରାଜ୍ୟ ବାହାରୁ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ଅଭିଜ୍ଞ ଶିକ୍ଷାବିତ୍। ଏଥିରେ ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା ହେବା ସହ ଉଚ୍ଚ ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ଉପରେ ଚର୍ଚ୍ଚା ହୋଇଛି।
ଧର୍ମେନ୍ଦ୍ର କହିଲେ, ଓଡ଼ିଶାର ଶିକ୍ଷାନୁଷ୍ଠାନଗୁଡ଼ିକ କେବଳ ପାରମ୍ପରିକ ଶିକ୍ଷାଦାନରେ ସୀମିତ ନ ରହି ସ୍ୱାୟତ୍ତତା(ଅଟୋନୋମୀ), ନବାଚାର(ଇନୋଭେସନ) ଓ ଗବେଷଣା(ରିସର୍ଚ୍ଚ) ମାଧ୍ୟମରେ ସାରା ଦେଶ ପାଇଁ ଏକ ଆଦର୍ଶ ମଡେଲ୍ ସାଜନ୍ତୁ । ଜାତୀୟ ଶିକ୍ଷା ନୀତିକୁ ଆଧାର କରି ବିଶ୍ୱବିଦ୍ୟାଳୟଗୁଡ଼ିକ ଏପରି 'ବେଷ୍ଟ ପ୍ରାକ୍ଟିସେସ୍' ଆରମ୍ଭ କରନ୍ତୁ, ଯାହା ସ୍ଥାନୀୟ ସମସ୍ୟାର ସମାଧାନ କରିବା ସହ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ସହାୟକ ହେବ । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଶ୍ରୀ ପ୍ରଧାନ କ୍ୟାମ୍ପସ୍ ବାତାବରଣକୁ ଶୈକ୍ଷିକ ଏବଂ ସୁଦୃଢ କରିବାକୁ ଆହ୍ୱାନ କରିଛନ୍ତି । ଏହାସହ ସେ କହିଛନ୍ତି, କ୍ରୀଡା, ନାଚ, ଗୀତ, ଓଡ଼ିଆ ଭାଷା ସହ ପିଲାଙ୍କୁ ସାମିଲ ହେବାକୁ ହେବ । ବିଶ୍ଵବିଦ୍ୟାଳୟ ଓ କଲେଜ କ୍ୟାମ୍ପସରୁ ଆସୁଥିବା ନୂଆ ଚିନ୍ତାଧାରା ହିଁ ଆଗାମୀ ସୁବର୍ଣ୍ଣ ଭାରତରେ ରୋଡ ମ୍ୟାପ୍ ହୋଇପାରିବ। ୨୦୨୦ମସିହାରୁ ପ୍ରଣୟନ ହୋଇଥିବା NEP ୨୦୨୦ଉପରେ ଆଲୋଚନା ଏବଂ ନୂଆ ଖସଡ଼ା ପ୍ରସ୍ତୁତ କରାଯିବାକୁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
ଏହା ସମୟ ଉପଯୋଗୀ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ସେ କହିଲେ, ଶିକ୍ଷାଦାନ, ଗବେଷଣା, ନବସୃଜନ ପ୍ରତି ବିଶ୍ଵବିଦ୍ୟାଳୟର ଚରିତ୍ର ହେବା ଦରକାର। ପ୍ରତି କୂଳପତି ଓ କଲେଜ ଅଧ୍ୟକ୍ଷ ସ୍ୱାୟତ୍ତତାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଜ୍ଞାନ ପରମ୍ପରା ଆଧାରିତ ଥିବା NEP ପିଲାମାନଙ୍କ ପାଖରେ ପହଞ୍ଚିବାକୁ ପ୍ରୟାସ। ପ୍ରତି ପିଲାଙ୍କୁ ନିଜ ଆଞ୍ଚଳିକ ଭାଷାରେ ପାଠ ପଢା ଗଲେ ତାହା ଦୂରଦୃଷ୍ଟି ସମ୍ପନ୍ନ ହୋଇପାରିବ।