ଭୁବନେଶ୍ୱର ୧୭/୦୪: ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କରାଗଲା ଭବ୍ୟ ସ୍ବାଗତ। କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବରିଷ୍ଠ ନେତା, କର୍ମୀ ଉପସ୍ଥିତ ରହିଥିଲେ। ରାଜଧାନୀର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ବିରାଟ ସଭାରୁ ସେ ୪ ହଜାର କୋଟି ଟଙ୍କାର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ଶୁଭାରମ୍ଭ କରିବେ । ରାଜ୍ୟର ପରିବହନ ବ୍ୟବସ୍ଥାକୁ ସୁଗମ ପାଇଁ ନୂଆ ରାସ୍ତା ଓ ଭିତ୍ତିଭୂମି ପ୍ରକଳ୍ପ ପାଇଁ ମଧ୍ୟ ସେ କିଛି ବଡ଼ ଘୋଷଣା କରିପାରନ୍ତି ।
ସୂଚନା ଅନୁଯାଇ, ଦିନ ୧୧ଟାରେ କଟକ ଯାଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଆୟୋଜିତ ହରେକୃଷ୍ଣ ମହତାବ ସ୍ମାରକୀ ବକ୍ତୃତାମାଳାରେ ସାମିଲ ହେବେ । ‘ଭିତ୍ତିଭୂମି ବିକାଶ ଏବଂ ଓଡ଼ିଶା’ ଉପରେ ସେ ନିଜର ବକ୍ତବ୍ୟ ରଖିବେ । ମହତାବଙ୍କ ୧୨୫ତମ ଜନ୍ମ ଶତବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ହେଉଛି । ଅପରାହ୍ନରେ ଗଡ଼କରୀ ଭୁବନେଶ୍ୱର ଫେରିବେ । ଦିନ ୨ଟା ବେଳକୁ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନରେ ଯିବେ । ଅପରାହ୍ନ ୩ଟା ବେଳକୁ ହୋଟେଲ ମେ ଫେୟାରରେ ରାଜ୍ୟର ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ । ସାଢ଼େ ୪ଟା ବେଳକୁ ବରମୁଣ୍ଡା ପଡ଼ିଆରୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ୮୦୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ । ତାଳଚେରରୁ କାମାକ୍ଷନଗର ଯାଏ ହୋଇଥିବା ୪ ଲେନ୍ ରାସ୍ତା ପ୍ରକଳ୍ପକୁ ସେ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ । ଏନଏଚ-୧୪୯ ଓ ୫୩ରେ ତିଆରି ହୋଇଥିବା ଏହି ପ୍ରକଳ୍ପରେ ୭୯୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।