ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ୨୧୧ ମତ୍ସ୍ୟଜୀବୀ ଅଛନ୍ତି । ଏହା ସହ ପାକିସ୍ତାନର ଅଧିକାରୀଙ୍କ କବଜାରେ ୧୧୭୨ ମାଛଧରା ଡଙ୍ଗା ଏବଂ ଟ୍ରଲର ରହିଛି ବୋଲି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ସୂଚନା ଦେଇଛନ୍ତି । ସାଂସଦ ଆର.ସୁଧାଙ୍କ ପ୍ରଶ୍ନରେ ସଂସଦରେ ଲିଖିତ ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ମେ ୨୧, ୨୦୦୮ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ, ଦୁଇ ଦେଶରେ ବନ୍ଦୀ ଥିବା ନାଗରିକଙ୍କୁ ଜାନୁଆରୀ ୧ ଏବଂ ଜୁଲାଇ ୧ରେ  ଅଦଳବଦଳ କରାଯାଏ । ଅର୍ଥାତ ପାକିସ୍ତାନ ଭାରତୀୟ ବନ୍ଦୀଙ୍କୁ ମୁକ୍ତ କରେ ଏବଂ ଭାରତ ମଧ୍ୟ ପାକିସ୍ତାନ ନାଗରିକଙ୍କୁ ଛାଡ଼େ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ସେପଟେ କେତୋଟି ଭାରତୀୟ ମାଛଧରା ବୋଟ୍‌ ତା କବଜାରେ ରହିଛି ପାକିସ୍ତାନକୁ ଜଣାନାହିଁ ।  କିର୍ତ୍ତୀ ବର୍ଦ୍ଧନ ସିଂ ଆହୁରି କହିଛନ୍ତି ଯେ, ବୈଦେଶିକ ମନ୍ତ୍ରୀ ଶ୍ରୀଲଙ୍କା ଗସ୍ତ ସମୟରେ ସେଠାରେ ବନ୍ଦୀ ଥିବା ଭାରତୀୟ ମତ୍ସ୍ୟଜୀବୀଙ୍କ ପ୍ରସଙ୍ଗ ଉଠାଇଥିଲେ ।  ଏଭଳି ସମସ୍ୟା ଦ୍ବିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରାଯାଏ । ମତ୍ସ୍ୟଜୀବୀଙ୍କ ଗିରଫଦାରୀକୁ ନେଇ ନିୟମିତ ଦ୍ବିପାକ୍ଷିକ ମିଳିତ କାର୍ଯ୍ୟ ଗୋଷ୍ଠୀଙ୍କ ମଧ୍ୟରେ ବୈଠକ କରାଯାଏ । ଏହି ଗ୍ରୁପରେ ଏକ  ପ୍ରତିନଧି ଭାବରେ ତାମିଲନାଡୁକୁ ମଧ୍ୟ ସାମିଲ କରାଯାଏ ।  ଶେଷ ଥର ଏହି ବୈଠକ ଅକ୍ଟୋବର ୨୯ରେ ଅନୁଷ୍ଠିତ ହୋଇଥିଲା । 

ନିକଟରେ କୂଟନୈତିକ ଆଲୋଚନା ମାଧ୍ୟମରେ ୩୬୩  ମତ୍ସ୍ୟାଜୀବୀଙ୍କୁ ଜେଲରୁ ମୁକ୍ତ କରି ଭାରତ ଫେରାଇ ଆଣିବା ଉପରେ ସହମିତି ହୋଇଛି ବୋଲି କେନ୍ତ୍ରୀମନ୍ତ୍ରୀ ଲୋକସଭାରେ କହିଛନ୍ତି । ଏହା ସହ ସେ ଆହୁରି କହିଛନ୍ତି, ଶ୍ରୀଲଙ୍କାରେ ଏବେ ଆହୁରି ୧୪୧ ଜଣ ଭାରତୀୟ ମତ୍ସ୍ୟଜୀବୀ ବନ୍ଦୀ ଅଛନ୍ତି । ସେହିଭଳି ବାଂଲାଦେଶରେ ୯୫, ବାହରିନରେ ୩୭, ସାଉଦି ଆରବରେ ୨୫ ଏବଂ କତର ଜେଲରେ ୪ ଜଣ ଅଛନ୍ତି । ଭାରତ ସରକାର ମତ୍ସ୍ୟଜୀଜୀଙ୍କ ସୁରକ୍ଷା ଓ ବିକାଶ ଲାଗି ଅଧିକ ଗରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ।