ନୂଆଦିଲ୍ଲୀ,୨୯/୦୬: ଦଳୀୟ ସଙ୍ଗଠନ ଓ ସରକାର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖିବା ଉଦ୍ଦେଶ୍ୟରେ ବିଜେପି ମୁଖ୍ୟାଳୟରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରମନ୍ତ୍ରୀମାନେ ଅବସ୍ଥାନ  କରିବେ । ସପ୍ତାହରେ ୬ ଦିନ ସୋମବାରରୁ  ଶନିବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସେମାନେ ଉପଲବ୍ଧ ରହିବେ । ସେମାନେ  ଦଳୀୟ ନେତା ଓ କର୍ମୀଙ୍କ ଆପତ୍ତି ଅଭିଯୋଗ  ଶୁଣିବା ସହ ତାର ସମାଧାନ କରିବେ । 

କେଉଁ ମନ୍ତ୍ରୀମାନେ କେଉଁ ଦିନ ମୁଖ୍ୟାଳୟରେ  ଅବସ୍ଥାନ କରିବେ ସେଥିପାଇଁ ରୋଷ୍ଟର ପ୍ରସ୍ତୁତ  କରାଯିବ । ସେହି ରୋଷ୍ଟର ଅନୁସାରେ ସେମାନେ  କାର୍ଯ୍ୟ କରିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ  ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ବିଭିନ୍ନ ରାଜ୍ୟରୁ  ଦଳୀୟ ନେତା ଓ କର୍ମୀମାନେ ଦିଲ୍ଲୀ ଆସିବା ସହ ମୁଖ୍ୟାଳୟରେ ମନ୍ତ୍ରୀମାନଙ୍କୁ ଭେଟିବାକୁ ଚାହିଁଥାନ୍ତି । ସେମାନେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଓ ଦଳୀୟ ସଙ୍ଗଠନ ସମ୍ପର୍କରେ କଥା ହେବାକୁ ଆଶା କରିଥାନ୍ତି । କିନ୍ତୁ ଅନେକ ସମୟରେ ମନ୍ତ୍ରୀମାନଙ୍କୁ ନ ପାଇ ସେମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନୂତନ ବ୍ୟବସ୍ଥା କରାଯାଇଛି । ସରକାରଙ୍କ ନିଷ୍ପତ୍ତି ଫଳରେ ଦୁଇଟି ଉଦ୍ଦେଶ୍ୟ  ସାଧିତ ହେବ । 

ପ୍ରଥମତଃ ଦଳୀୟ ନେତା ଓ କର୍ମୀମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ହେବ । ଦ୍ୱିତୀୟତଃ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ରାଜ୍ୟ ପାଇଁ ସ୍ୱତନ୍ତ୍ର ଯୋଜନା ସମ୍ପର୍କରେ ସେମାନେ ଅବଗତ ହେବେ । ଯାହାଫଳରେ  ସେମାନେ ଏହି ଯୋଜନା ସମ୍ପର୍କରେ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ଅବଗତ କରିବେ ।  ଆସନ୍ତା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଏବଂ ଆସନ୍ତାବର୍ଷ ଅର୍ଥାତ ୨୦୨୬ରେ ହେବାକୁ ଥିବା କେରଳ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି କରାଯାଇଛି । ରୋଷ୍ଟର ଅନୁସାରେ ଆଜି ଅର୍ଥାତ ୨୮ ତାରିଖ ଦିନ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର  ବିଜେପି ମୁଖ୍ୟାଳୟରେ ରହିଥିଲେ ।

ଆସନ୍ତା ୩୦  ତାରିଖରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ,  ଜୁଲାଇ ୧ରେ ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷ  ମାଲହୋତ୍ରା, ଜୁଲାଇ ୨ରେ ଆଦିବାସୀ ବ୍ୟାପାର  ରାଷ୍ଟ୍ରମନ୍ତ୍ରୀ ଦୁର୍ଗା ଦାସ ଉଇକେ, ଜୁଲାଇ ୩ରେ  ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍‌ ମୁରୁଗାନ  ଏବଂ ଜୁଲାଇ ୪ରେ ସମବାୟ ରାଷ୍ଟ୍ରମନ୍ତ୍ରୀ  କ୍ରିଷ୍ଣପାଲ ଗୁର୍ଜର ବିଜେପି ମୁଖ୍ୟାଳୟରେ ରହି  ଦଳୀୟ ନେତା ଓ କର୍ମୀଙ୍କ ଅଭିଯୋଗ ଶୁଣିବେ ।