ଭୁବନେଶ୍ୱର,୨୯/୦୫: ସମ୍ବଲପୁର ଶୀତଳଷଷ୍ଠୀ-୨୦୨୫ରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ ଏକ ଭିଡ଼ିଓ ବାର୍ତ୍ତାରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆସନ୍ତାକାଲି ଠାରୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାର୍ତ୍ତାରେ କହିଛନ୍ତି, ଏବେ ଶୀତଳଷଷ୍ଠୀର ସମୟ ଆସିଛି । ସବୁଆଡ଼େ ଆଧ୍ୟାତ୍ମିକ ଏବଂ ଆନନ୍ଦର ବାତାବରଣ । ସମ୍ବଲପୁର ସହ ସୁନ୍ଦରଗଡ଼, ବରଗଡ, ବରପାଲି ଓ ବଲାଙ୍ଗିରରେ ମଧ୍ୟ ଶୀତଳଷଷ୍ଠୀ ମହାଆଡମ୍ବରରେ ପାଳିତ ହେଉଛି । ଶୀତଳଷଷ୍ଠୀ ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ । ଏହି ପବିତ୍ର ପର୍ବ ଅବସରରେ ସବୁ ଗୁରୁଜନ, ମାଆ ଭଉଣୀ ଏବଂ ଦାଦା ଭାଇମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି, ମହାନ ପର୍ବ ଶୀତଳଷଷ୍ଠୀ ମହାନଦୀ କୂଳରେ ଥିବା ସମ୍ବଲପୁରର ଗାରିମା ଏବଂ ପରିଚୟକୁ ଶ୍ରୀମନ୍ତ କରିଛି । ଶୀତଳଷଷ୍ଠୀ ଆମର ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ଲୋକ ପରମ୍ପରାର ଉଜ୍ଜ୍ୱଳ ପ୍ରତୀକ ଭାବରେ ରହିଆସିଛି । ଭଗବାନ ଏବଂ ସାଧାରଣ ଭକ୍ତଙ୍କ ଏକାକାର ହେବାର ବିରଳ ଲୋକ ସଂସ୍କୃତିର ସ୍ୱରୂପ ହେଉଛି ଶୀତଳ ଷଷ୍ଠୀ । ଏହି ଲୋକ ସଂସ୍କୃତିରେ ସାଧାରଣ ଭକ୍ତ ଭଗବାନଙ୍କ ଉପରେ ନିଜର ଅଧିକାର ଜାହିର୍ କରେ । ଭଗବାନ ମଧ୍ୟ ସାଧାରଣ ଭକ୍ତଙ୍କର ଗୁହାରି ଶୁଣନ୍ତି ଏବଂ ଭକ୍ତଙ୍କ ଜୀବନର ରୀତିନୀତିରେ ନିଜକୁ ସାମିଲ କରନ୍ତି । କଲ୍ୟାଣମୟୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କର ଲୋକ ପରମ୍ପରା ଆଧାରରେ ହିଁ ବିବାହ ଅନୁଷ୍ଠିତ ହୋଇଥାଏ । ଏହା ପଛରେ ଜଗତ କଲ୍ୟାଣର ଚେତନା ରହିଛି । ଏହି ମହାନ ଚିନ୍ତା ଶୀତଳଷଷ୍ଠୀ ପାଳନ ହେବାର ଆଧାର ଅଟେ । ପ୍ରବଳ ଖରା ଏବଂ ଗରମରୁ ମୁକ୍ତି ପାଇବା ସହ ଭଲ ବର୍ଷା କରିବା ପାଇଁ ଭକ୍ତଟିଏ ଶୀତଳଷଷ୍ଠୀରେ ପ୍ରାର୍ଥନା କରିଥାଏ । ଭଲ ବର୍ଷା ହେଲେ ଭଲ ଚାଷ ହେବ ଏବଂ ସମୃଦ୍ଧି ଆସିବ।
ଶୀତଳଷଷ୍ଠୀର “ଥାଳି ଉଠା”, “ପତର ପେଣି”,“ଗୁଆ ଗୁଣା”, "ଦେବ ନିମନ୍ତ୍ରଣ” ଏବଂ “ଦେବ ବିବାହ” ଇତ୍ୟାଦି ପରମ୍ପରା ଏହି ପର୍ବକୁ ଗୋଟିଏ ଭିନ୍ନ ପରିଚୟ ଦେଇଛି । ଶୀତଳଷଷ୍ଠୀର ଆଉ ଗୋଟିଏ ଭବ୍ୟ ଦିଗ ହେଉଛି, ଏହି ଦିନ ଲୋକକଳା, ଲୋକବାଦ୍ୟ, ଲୋକନୃତ୍ୟ ଏବଂ ଲୋକଗୀତର ମହାସଙ୍ଗମ ହୁଏ । ଦେଖିବାକୁ ଗଲେ ଲୋକ ସଂସ୍କୃତିର ନିଚ୍ଛକ ସମାହାର ହେଉଛି ଶୀତଳଷଷ୍ଠୀ । ଶୀତଳଷଷ୍ଠୀ, ଭାରତର ସାଂସ୍କୃତିକ ଐତିହ୍ୟର ଗୋଟିଏ ଅଂଶବିଶେଷ । ସେଥିପାଇଁ ଭାରତ ସରକାର “ଶୀତଳଷଷ୍ଠୀ” ଉପରେ ଡାକ ଟିକେଟ୍ ପ୍ରସ୍ତୁତ କରିଛନ୍ତି। ଅତ୍ୟନ୍ତ ଖୁସିର କଥା, ଚଳିତବର୍ଷ ଓଡ଼ିଶା ସରକାର ଶୀତଳଷଷ୍ଠୀ ପାଇଁ ପୃଷ୍ଠପୋଷକତା କରିଛନ୍ତି । ଏଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆମେ ସମସ୍ତେ ମିଳିମିଶି ଶୀତଳଷଷ୍ଠୀର ଭବ୍ୟତାକୁ ଆହୁରି ଆଗକୁ ନେବା । ଶୀତଳଷଷ୍ଠୀର ଜଗତ କଲ୍ୟାଣ ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ପରିବାର ଉପରେ ରହୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥନା କରିଛନ୍ତି ।