ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଜା ଚାର୍ଲସ୍‌ ତୃତୀୟ ଭାରତ ଆସିବା ପାଇଁ ଯୋଜନା କରୁଛନ୍ତି । ଆସନ୍ତା ବର୍ଷ (୨୦୨୫) ଆରମ୍ଭରେ ତାଙ୍କ ପତ୍ନୀ ଏବଂ ବ୍ରିଟେନ୍‌ର ରାଣୀ କ୍ୟାମିଲାଙ୍କ ସହ କିଙ୍ଗ ଚାର୍ଲସ୍‌ ତୃତୀୟ ଭାରତକୁ ଆସିପାରନ୍ତି । କର୍କଟ ରୋଗରେ ପୀଡ଼ିତ ଚାର୍ଲସ୍‌ ତୃତୀୟ ଶାରୀରିକ ଅସୁସ୍ଥତା ସତ୍ତ୍ୱେ ‌ ଭାରତ ଗସ୍ତରେ ଆସିବେ ବୋଲି ଯୋଜନା କରୁଛନ୍ତି । ଏହି ଗସ୍ତ ରାଜାଙ୍କୁ ମାନସିକ ଭାବେ ଖୁସି ଦେଇପାରେ ଏବଂ ତାଙ୍କର ସ୍ବାସ୍ଥ୍ୟ ପାଇଁ ଭଲ ହୋଇପାରେ ବୋଲି ବ୍ରିଟେନ୍‌ ଗଣାମଧ୍ୟମରେ କୁହାଯାଇଛି । 

ଏହି ଯାତ୍ରା ସମୟରେ ବ୍ରିଟେନ୍‌ର ରାଜା ଭାରତ ସମେତ ପାକିସ୍ତାନ ଏବଂ ବାଂଲାଦେଶ ଯିବେ । ବ୍ରିଟେନ୍‌ ରାଜପରିବାର ସହ ଜଡ଼ିତ ଜଣେ ଅଧିକାରୀଙ୍କ ସୂଚନାକୁ ନେଇ ପ୍ରକାଶିତ ଖବର ଅନୁସାରେ, ଆସନ୍ତା ବର୍ଷ ରାଜାଙ୍କ ବିଦେଶ ଗସ୍ତ ନେଇ ଏକ ସୂଚୀ ତିଆରି କରାଯାଉଛି । ସେପଟେ କମନଓ୍ବେଲ୍‌ଥ ରାଷ୍ଟ୍ରଗୁଡ଼ିକ ସହ ସୁସଂପର୍କ ସ୍ଥାପନ ଲାଗି ବ୍ରିଟେନ୍‌ ସରକାର ମଧ୍ୟ ପ୍ରୟାସ କରୁଛନ୍ତି । ୟୁରୋପ ବାହାରେ ମଧ୍ୟ ସମ୍ବନ୍ଧ ସ୍ଥାପନ ଦିଗରେ ବ୍ରିଟେନ୍‌ ସରକାର ଚିନ୍ତା କରୁଛନ୍ତି ।

ଏହା ପୂର୍ବରୁ ଚାର୍ଲସ୍‌ ତୃତୀୟ ଭାରତକୁ ଆନୁଷ୍ଠାନିକ ଗସ୍ତ କରିବାକୁ ଯୋଜନା କରିଥିଲେ । କିନ୍ତୁ ୨୦୨୨ରେ ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଦେହାନ୍ତ ହୋଇଯିବାରୁ ସେ ଆସିପାରି ନଥିଲେ ।  ସେ ଯାହା ହେଉ, ଗତ ମାସରେ ରାଜା ଓ ରାଣୀ ଉଭୟ ବେଙ୍ଗାଲୁରୁର ଏକ ଘରୋଇ ରିସୋର୍ଟରେ ରହିଥିଲେ । ସେମାନେ ଅଷ୍ଟ୍ରେଲିଆରୁ ବ୍ରିଟେନ୍‌ ଫେରିବା ବେଳେ ବେଙ୍ଗାଲୁରୁରେ ରହିଥିଲେ ବୋଲି ଗଣାମଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ‘ଦ ମିରର୍‌’ରେ ପ୍ରକାଶିତ ଖବର ଅନୁସାରେ, ଆସନ୍ତା ବର୍ଷ ରାଜାଙ୍କ ଯାତ୍ରା ଲାଗି ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରାଳୟ ପ୍ରସ୍ତୁତି ଆରମ୍ଭ କରିସାରିଛି ।