ନୂଆଦିଲ୍ଳୀ,୨୬।୫ : ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ଲିଭରପୁର ବିଶ୍ବବିଦ୍ୟାଳୟକୁ ଲେଟର ଅଫ ଇଣ୍ଟେଣ୍ଟ ପତ୍ର ହସ୍ତାନ୍ତର କରିଛନ୍ତି। ୟୁଜିସି ନିୟମାବଳୀ ୨୦୨୩ ଅନୁଯାୟୀ ଦ୍ବିତୀୟ ବିଦେଶୀ ବିଶ୍ବବିଦ୍ୟାଳୟ ଭାବରେ ଏହାକୁ ଏଲଇଆଇ ଜାରି କରାଯାଇଛି।
କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଗବେଷଣା,ବିକାଶ ଏବଂ ନବସୃଜନ ଭଳି କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ଆହ୍ବାନ କରିଥିଲେ। ଲିଭରପୁର ବିଶ୍ବବିଦ୍ୟାଳୟ ନବସୃଜନ ସହ ଷ୍ଟେମ ସମ୍ବନ୍ଧୀୟ ଗବେଷଣା ଉପରେ ଧ୍ୟାନ ଦେବା ଉପରେ ପ୍ରାଥମିକତା ଦେଉଥିବାରୁ ଖୁସିପ୍ରକାଶ କରିଥିଲେ। ସେ କହିଥିଲେ ବିଶ୍ବ ନାଗରିକରୁ ନୂଆପିଢୀ ତିଆରି କରିବା ଗୁରୁତ୍ବପୂର୍ଣ୍ଣ। ଭାରତରେ ଇନୋଭେସନ ସେଣ୍ଟର ବିଶ୍ବବିଦ୍ୟାଳୟ ଏବଂ ସମାଜ ଉଭୟ ପାଇଁ ପାରସ୍ପରିକ ଭାବରେ ଲାଭଦାୟକ ହେବ।
ଶ୍ରୀ ପ୍ରଧାନ କହିଥିଲେ ଯେ, ଲିଭରପୁର ବିଶ୍ବବିଦ୍ୟାଳୟ ହେଉଛି ଭାରତରେ ନିଜର ଉପସ୍ଥିତି ଘୋଷଣା କରିବାରେ ୪ର୍ଥ ବିଦେଶୀ ବିଶ୍ବବିଦ୍ୟାଳୟ । ଚଳିତ ଶିକ୍ଷା ବର୍ଷ ସୁଦ୍ଧା ବିଶେଷ କରି ଷ୍ଟେମ ଶିକ୍ଷାରେ ୧୫ଟି ବିଦେଶୀ ବିଶ୍ବବିଦ୍ୟାଳୟ ଭାରତକୁ ଆସିବେ। ବେଙ୍ଗାଲୁରୁରେ ଲିଭରପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଏକ ବିଶ୍ବସ୍ତରୀୟ କ୍ୟାମ୍ପସ ହେବ, ଯାହା ଗବେଷଣା ଏବଂ ନବସୃଜନର ସୀମାକୁ ଆଗକୁ ବଢାଇବ। ବିଶ୍ବ କଲ୍ୟାଣ ଏବଂ ସମୃଦ୍ଧିରେ ଯୋଗଦାନ ଦେବା ପାଇଁ ବୈଜ୍ଞାନିକ ମନୋଭାବକୁ ପ୍ରୋତ୍ସାହିତ କରିବ।
ଏହି ସମାରୋହ ଅବସରରେ ରୟାଲ କଲେଜ ଅଫ ଅବେଷ୍ଟ୍ରରିସିଆନ୍ସ ଆଣ୍ଡ ଗାଇନାକୋଲୋଜିଷ୍ଟସ, ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆ ଲିମିଟେଡ, ୟୁ ଉଇ କ୍ୟାନ ଏବଂ ଡ୍ରିମ ଇଲେଭେନ ସମେତ କମ୍ପାନୀ ଏବଂ ସଂଗଠନ ସହିତ ଭବିଷ୍ୟତର ସହଯୋଗୀ ସୁଯୋଗ ଅନୁସନ୍ଧାନ କରିବା ପାଇଁ ତିନୋଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।