ଭବାନୀପାଟଣା,୪।୮(ଆପ୍ର): କଳାହାଣ୍ଡି ଜିଲ୍ଲା ଥୁଆମୁଲ୍ ରାମପୁର ବ୍ଲକର ଦୁର୍ଗମ ଓ ଉଚ୍ଚତମ ପାହାଡ କୁଟ୍ରୁମାଲର ପ୍ରାୟ ୨୦ ହଜାର ଫୁଟ ଉଚ୍ଚରେ ରହିଛି ଅପହଞ୍ଚ ଗାଁ କୁଟ୍ରୁମାଲି। ପୂର୍ବପୁରୁଷ ଅମଳରୁ ୭୫ଟି ଆଦିବାସୀ ସମ୍ପ୍ରଦାୟର ପରିବାର ବସବାସ କରନ୍ତି। ସରକାରୀ ସୁବିଧା ଆଜିବି ଅପହଞ୍ଚ ହୋଇ ରହିଛି। ଅନ୍ୟଦିଗରେ ଦାଉ ସାଧୁଛି ଜୀବନ ଜୀବିକା। ଗୁରୁଜି୍, ମାଣ୍ଡିଆ, କାନ୍ଦୋ ଖାଇ ଜୀବନ ବଞ୍ଚାଇ ରଖିଛନ୍ତି।  ରୋଜଗାରର ଅନ୍ୟ ଉପାୟ ନାହିଁ ଏମାନଙ୍କ ପାଖରେ। ଆଧୁନିକତା ଆଜି ଯାଏଁ ସ୍ପର୍ଶ କରି ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତା, ବିଜୁଳି ଭଳି ମୌଳିକ ସୁବିଧାରୁ ସେମାନେ ବଞ୍ଚିତ। ସବୁ ସମସ୍ୟା ଭିତରେ କେବଳ ସଂଘର୍ଷ କରି ଚାଲିଛନ୍ତି।

ଥୁଆମୁଲ.ରାମପୁର ବ୍ଳକ କେରପାଇ ପଞ୍ଚାୟତର କୁଟ୍ରୁମାଲି ଗାଁକୁ ଯିବାକୁ ହେଲେ କେରପାଇରୁ ୭ କିଲୋମିଟର ପାହାଡର ବିପଦପୂର୍ଣ୍ଣ ରାସ୍ତାରେ ଯିବାକୁ ହୋଇଥାଏ। କିଛି ଦିନ ତଳେ ପାହାଡ଼ରୁ ପଥର ମାଟି ଅତଡା ଖସିବାରୁ ଦୀର୍ଘ ଦିନ ଯାଏଁ ଗ୍ରାମବାସୀ ବିଚ୍ଛିନ୍ନ ହୋଇ ରହିଥିଲେ। ଦୁଇ ଚକିଆ ଯାନ କଷ୍ଟେମଷ୍ଟେ ଯାଉଥିବା ବେଳେ ଚାରିଚକିଆ ଯାନ ଯିବାର ସମ୍ଭାବନା ହିଁ ନାହିଁ। ବିକାଶର ଚିହ୍ନବର୍ଣ୍ଣ ହିଁ ଗାଁରେ ଦେଖିବାକୁ ମିଳୁ ନାହିଁ। ବର୍ଷା , ଖରା ସବୁ ଋତୁରେ ପାନୀୟ ଜଳ ସଂକଟ। ବୋହି ଆସୁଥିବା ଝର ପାଣି ପରିତ୍ୟକ୍ତ ଅବସ୍ଥାରେ ଜମା ହେଉଥିବା ବେଳେ ସେହି ଦୂଷିତ ପାଣିକୁ ସଂଗ୍ରହ କରି ଗ୍ରାମବାସୀ ରୋଷେଇ କରନ୍ତି ଏବଂ ଶୋଷ ମେଣ୍ଟାନ୍ତି। ଗାଁକୁ ସଂଯୋଗ କରୁଥିବା ପାହାଡ ରାସ୍ତାର ପାଦେ ପାଦେରେ ବିପଦ ରହିଛି। କେତେବେଳେ ବଡ ଅଘଟଣ ଘଟି ଜୀବନ ଚାଲିଯିବା କହି ହେବ ନାହିଁ ବୋଲି କୁଟ୍ରୁମାଲି ଗାଁର ସାନ ମାଝୀ, ଲଛନ୍ତି ମାଝୀ ଦୁଃଖର ସହ କହିଛନ୍ତି।

ଶାନ୍ତି ମାଝି, ଟାକୁ ମାଝୀଙ୍କ କହିବା ଅନୁଯାୟୀ,  ବର୍ଷା ଋତୁ ହେଉ କି ଖରା ଦିନ ପାନୀୟ ଜଳର ସମସ୍ୟା ଲାଗି ରହିଛି। ପାହାଡ଼ର ଝର ପାଣିକୁ ସଂଗ୍ରହ କରି ବଞ୍ଚିଛୁ। ବର୍ଷା ଦିନେ ଗାଁ ଠାରୁ ପ୍ରାୟ ଗୋଟେ କିଲୋମିଟର ଦୂରରେ ପାଣି ମିଲେ। ଅନ୍ୟ ଋତୁରେ ଖୋଜିବାକୁ ପଡେ ବୋଲି କହିଛନ୍ତି। ଦୂଷିତ ପାଣି ଯୋଗୁଁ ଗ୍ରାମବାସୀ ରୋଗାକ୍ରାନ୍ତ ହୁଅନ୍ତି ମାତ୍ର ଔଷଧ କିମ୍ବା ଚିକିତ୍ସା ନୁହେଁ ଚେରିମୁଲି ଖାଆନ୍ତି। ଗୁରୁତର ରୋଗୀଙ୍କୁ ୭କିଲୋମିଟର୍ ଯାଏଁ ପାହାଡ ରାସ୍ତାର ଖଟିଆରେ ବୋହି କେରପାଇ ଯାଏଁ ଆଣନ୍ତି। 

ସବୁଠୁ ବଡ କଥା ହେଲା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବସୁଧା କିମ୍ବା ହର ଘର ନଲ ବୋଲି ସରକାରୀ ଜଳ ଯୋଗାଣ ଯୋଜନା ରହିଛି ସେମାନେ ଜାଣି ନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଘର ହେଉ ଅବା ଅନ୍ୟ ସରକାରୀ ଯୋଜନା ଆଜି ଯାଏଁ ଗାଁର କେହି ତାର ସୁଫଳ ପାଇ ନାହାନ୍ତି। ଶିକ୍ଷା ଅଧିକାରରୁ ପିଲାଏ ବଞ୍ଚିତ। ସ୍କୁଲ୍ ବାରଣ୍ଡା କେହି ମାଡ଼ି ନାହାନ୍ତି। ଗ୍ରାମବାସୀ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି ଏହାର ସୂଚନା ମଧ୍ଯ ପ୍ରଶାସନ ପାଖରେ ଅଛି ନା ନାହିଁ ତାହା ଅସ୍ପଷ୍ଟ। କାରଣ ଜିଲ୍ଲା ପ୍ରଶାସନ କଥା ନକହିଲେ ଭଲ, ବ୍ଲକ୍ ପ୍ରଶାସନରୁ ମଧ୍ୟ ସରକାରୀ ବାବୁଙ୍କ ପାଦ କେବେ ମଧ୍ୟ ଏହି ଅପହଞ୍ଚ ଗ୍ରାମରେ ପଡି ନାହିଁ। ଯାହାଫଳରେ ଲୋକେ ଅତି ଦୟନୀୟ ଭାବେ ରହୁଛନ୍ତି ବୋଲି କ୍ଷୋଭ ସହ ପ୍ରକାଶ କରିଛନ୍ତି।