ନୂଆଦିଲ୍ଲୀ,୨।୧୦: ତାଲିବାନର ବୈଦେଶିକ ମନ୍ତ୍ରୀ ଅମିର ଖାନ୍ ମୁତାକିଙ୍କ ଭାରତ ଯାତ୍ରାକୁ ଜାତିସଂଘର ସୁରକ୍ଷ ପରିଷଦ ପକ୍ଷରୁ ମଞ୍ଜୁରୀ ମିଳିଛି। ସେ ୯ ଅକ୍ଟୋବରରେ ଭାରତରେ ପହଁଞ୍ଚିବେ। ଏହି ସମୟରେ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶରଙ୍କୁ ଭେଟିବାର ସମ୍ଭାବନା ରହିଛି। ମୁତାକିଙ୍କୁ ଅଗଷ୍ଟରେ ହିଁ ଭାରତ ଆସିବାର ଥିଲା, କିନ୍ତୁ ସୁରକ୍ଷା ପରିଷଦର ମଞ୍ଜୁରୀ ନମିଳିବା କାରଣରୁ ତାଙ୍କ ଗସ୍ତକୁ ରଦ୍ଦ କରି ଦିଆଯାଇଥିଲା। ତେବେ ଭାରତ ସେତେବେଳେ କହିଥିଲା ତାଲିବାନ ସରକାରଙ୍କ ବୈଦେଶିକ ମନ୍ତ୍ରୀଙ୍କ ଯାତ୍ରାକୁ ଅପେକ୍ଷା କରିଛି।
ମୁତାକିଙ୍କୁ ଅଫଗାନିସ୍ତାନ ବାହାର ଯାତ୍ରା କରିବା ପାଇଁ ସୁରକ୍ଷା ପରିଷଦ ଔପଚାରିକ ମଞ୍ଜୁରୀର ଆବଶ୍ୟକତା ଥିଲା। ତାଙ୍କ ଉପରେ ସୁରକ୍ଷା ପରିଷଦ ଯାତ୍ରା କଟକଣା ଲଗାଇଥିଲା। ସେ ଏହି ମଞ୍ଜୁରୀ ବିନା ଆଇନଗତ ଭାବରେ ଭାରତ କିମ୍ବା ଅନ୍ୟ କୌଣସି ଦେଶକୁ ଯାତ୍ରା କରି ପାରୁନଥିଲେ। ଏହି କାରଣରୁ ଯେତେବେଳେ ତାଙ୍କୁ ସୁରକ୍ଷା ପରିଷଦରୁ ମଞ୍ଜୁରୀ ମିଳିନଥିଲା, ସେତେବେଳେ ତାଙ୍କର ଭାରତ ଯାତ୍ରାକୁ ରଦ୍ଦ କରି ଦିଆାଇଥିଲା।
ଜାତିସଂଘର କଟକଣାରେ ଛାଡ ସୁରକ୍ଷା ପରିଷଦର ନିଷେଧ କମିଟିର ନିୟମ ଅନୁଯାୟୀ ପ୍ରଦାନ କରାଯାଏ। ୧୯୮୮ ମସିହାର ନିଷେଧ କମିଟିକୁ ବିଶେଷ ଭାବରେ ତାଲିବାନ ଏବଂ ଏହାର ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ନିଷେଧ ଏବଂ ତଦାରଖ କରିବାର ଦାୟିତ୍ୱ ଦିଆଯାଇଛି। ଏଥିରେ ତାଲିବାନ ନେତାଙ୍କ ଉପରେ ଯାତ୍ରା କଟକଣା, ସମ୍ପତ୍ତି ଫ୍ରିଜ୍ ଏବଂ ଅସ୍ତ୍ରଶସ୍ତ୍ର ବିକ୍ରୟ କଟକଣା ଅନ୍ତର୍ଭୁକ୍ତ। ଏଗୁଡ଼ିକଣ ଉଦେଶ୍ୟ ହେଉଛି ତାଲିବାନ ସହିତ ଜଡିତ ବ୍ୟକ୍ତିଙ୍କୁ ଏଭଳି ସମ୍ବଳ ପାଇବା କିମ୍ବା ଦୁନିଆରେ ବୁଲିବାଠାରୁ ରୋକିବା।
ସେପେଟ ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତକୁ ରୋକିବା ପାଇଁ ପାକିସ୍ତାନ ଖୁବ୍ ଚେଷ୍ଟା କରିଥିଲା। ଗତ ଥର ମଧ୍ୟ ମୁତାରୀଙ୍କ ଭାରତ ଗସ୍ତକୁ ରଦ୍ଦ କରିଥିଲା। କିନ୍ତୁ ଏଥର ଭାରତ ଏଭଳି ପ୍ରସ୍ତୁତି କରିଥିଲା ଯେ, ଜାତିସଂଘରେ ପାକିସ୍ତାନର ଚାଲ ଆଉ ଚାଲି ପାରିନଥିଲା। ମୁତାକିଙ୍କୁ ଭାରତ ଗସ୍ତ ପାଇଁ ସହଜରେ ମଞ୍ଜୁରୀ ମିଳିଯାଇଥିଲା। ଏହା ନିଶ୍ଚିତ ପକ୍ଷେ ପାକିସ୍ତାନକୁ ଝଟକା କହିହେବ। କାରଣ ପାକିସ୍ତାନ ଆରମ୍ଭରୁ ହିଁ ଭାରତ-ତାଲିବାନ ସମ୍ପର୍କକୁ ବିରୋଧ କରୁଛି। ୨୦୨୧ ରେ ଯେତେବେଳେ ତାଲିବାନ କାବୁଲ ଦଖଲ କଲା, ପାକିସ୍ତାନ ଏହାକୁ ଉତ୍ସବ ଭାବରେ ପାଳନ କଲା। ପାକିସ୍ତାନୀ ନେତା ଏବଂ ଉଚ୍ଚ ପଦାଧିକାରୀମାନେ ଏହାକୁ ଭାରତର ପରାଜୟ ଭାବରେ ପ୍ରଚାର କରିଥିଲେ। କିନ୍ତୁ, ସମୟ ସହିତ ଭାରତ-ତାଲିବାନ ସମ୍ପର୍କରେ ଉନ୍ନତି ହେଲା ଏବଂ ତାଲିବାନ ପାକିସ୍ତାନର ଶତ୍ରୁ ହୋଇଗଲା।