ନୂଆଦିଲ୍ଲୀ,୪।୧୧: ଜାତିସଂଘର ସୁରକ୍ଷା ପରିଷଦରେ ଭାରତକୁ ବଡ଼ ସମର୍ଥନ। ଫିନଲାଣ୍ଡର ରାଷ୍ଟ୍ରପତି ଆଲେକଜାଣ୍ଡର ଷ୍ଟବ କହିଛନ୍ତି, ଆମେରିକା ଓ ଚୀନ୍ ସହ ଭାରତ ହେବାକୁ ଯାଉଛି ଆଗାମୀ ସୁପର ପାଓ୍ବାର । ଷ୍ଟବ କହିଛନ୍ତି, ଭାରତକୁ ଜାତିସଂଘର ସୁରକ୍ଷା ପରିଷଦରେ ବାଧ୍ୟତାମୂଳକ ଭାବରେ ସ୍ଥାୟୀ ସଦସ୍ୟତା ଦିଆଯିବା ଦରକାର। ଯଦି ଭାରତକୁ ସଦସ୍ୟତା ନମିଳେ, ତେବେ ଜାତିସଂଘ ଲଗାତାର ଦୁର୍ବଳ ହେବାରେ ଲାଗିବ। ରୁଷରୁ ନେଇ ବ୍ରିଟେନ ପର୍ଯ୍ୟନ୍ତ ଦେଶ ଖୋଲାଖୋଲି ଭାରତକୁ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ଦେବାର ସମର୍ଥନ କରୁଛନ୍ତି। କିନ୍ତୁ କେବଳ ଗୋଟିଏ ଦେଶ କାରଣରୁ ଭାରତର ଦାବିଦାରୀ ଅଟକି ଅଛି। ଏହି ଦେଶ ହେଉଛି ଚୀନ୍। ପାକିସ୍ତାନ ଓ ଚୀନ୍ ମିଶିକି ଭାରତ ବିରୋଧରେ ଅଭିଯାନ ଚଳାଉଛନ୍ତି।
ଫିନଲାଣ୍ଡ ରାଷ୍ଟ୍ରପତି ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଭାରତର ବଡ଼ ପ୍ରଶଂସକ। ମୋ ମତରେ ଆମେରିକା ଓ ଚୀନ୍ ସହ ଭାରତ ଆଗାମୀ ସୁପର ପାଓ୍ବାର ହେବ। ଫିନଲାଣ୍ଡ ରାଷ୍ଟ୍ରପତି କହିଛନ୍ତି, ଭାରତ ଏହି ସମୟରେ ଦୁନିଆର କୌଣସି ଶକ୍ତିଶାଳୀ ରାଷ୍ଟ୍ର ସହ ସମ୍ପର୍କ ପ୍ରତିଷ୍ଠା କରିବା ଅପେକ୍ଷା ସବୁ ପ୍ରମୁଖ ଦେଶ ସହ ସୁସମ୍ପର୍କ ଗଠନ କରୁଛି। ଏଥିରୁ ବୁଝିହେବ, ଭାରତର ଆକାର, ବିଭିନ୍ନ ଦେଶ ସହ ସମ୍ପର୍କ ଓ କ୍ଷମତା ଦୁନିଆ ପାଇଁ ଖୁବ୍ ଗୁରୁତ୍ବ ବହନ କରେ।
ଷ୍ଟବଙ୍କ ମତରେ ଫିନଲ୍ୟାଣ୍ଡର ଦୃଷ୍ଟିକୋଣରୁ, ଯେତେବେଳେ ବିଶ୍ୱ ବ୍ୟବସ୍ଥା କଥା ଆସେ, ସେ ବିଶ୍ୱାସ କରନ୍ତି ଯେ ବହୁପାକ୍ଷିକତା ଏବଂ ଜାତିସଂଘରେ ଭାରତର ବର୍ଦ୍ଧିତ ଭୂମିକା ଅତ୍ୟନ୍ତ ଜରୁରୀ। ଯଦି ଭାରତକୁ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ କରାନଯାଏ, ତେବେ ଜାତିସଂଘ ଦୁର୍ବଳ ହେବା ଜାରି ରହିବ। ମୁଁ ସାଧାରଣ ସଭାରେ ଏହା ଦୁଇଥର କହିଛି। ମୁଁ ଚାହୁଁଛି ଯେ ଜାତିସଂଘ ସୁରକ୍ଷା ପରିଷଦକୁ ବିସ୍ତାର କରାଯାଉ। ଏହାର ସଦସ୍ୟଙ୍କ ସଂଖ୍ୟା ଅତି କମରେ ଦୁଇଗୁଣ ହେବା ଉଚିତ। ଭାରତ ଭଳି ଦେଶ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ନୁହଁନ୍ତି ଏହା ଭୁଲ।’