ଲକ୍ଷ୍ନୌ: ଦୀର୍ଘ ୪୫ ଦିନ ଧରି ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳା ସମାପନ ହୋଇଛି । ଗୁରୁବାର ପବିତ୍ର ମହାକୁମ୍ଭ ସମାପ୍ତ ହୋଇଥିବା ବେଳେ ବିଶ୍ବର ଏହି ବଡ଼ ଧାର୍ମିକ ସମାବେଶ ଚର୍ଚ୍ଚା ସୃଷ୍ଟି କରିଛି । ୪୫ ଦିନରେ ୬୬ କୋଟି ୩୦ ଲକ୍ଷ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଏତେ ବଡ଼ ଧାର୍ମିକ ସମାବେଶକୁ ସୁରୁଖୁରୁରେ ଆୟୋଜନ ଲାଗି ଉତ୍ତର ପ୍ରଦେଶର ଯୋଗୀ ସରକାରଙ୍କୁ ଯେତିକି ଶ୍ରେୟ ଦିଆଯାଉଛି ତାଠୁ ଅଧିକ ପ୍ରଶଂସା ପାଇଛନ୍ତି ପ୍ରୟାଗରାଜରେ ନିୟୋଜତି ୧୫ ହଜାରରୁ ଅଧିକ ସଫେଇ କର୍ମୀ । ସେମାନଙ୍କ କର୍ତ୍ତବ୍ୟନିଷ୍ଠ କାର୍ଯ୍ୟକୁ ପ୍ରଶଂସା କରିବା ସହ ଯୋଗୀ ସରକାର ସେମାନଙ୍କ ଲାଗି ବଡ଼ ଉପହାର ଘୋଷଣା କରିଛନ୍ତି । ସଫେଇ କର୍ମୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବୋନସ୍ ମିଳିବାକୁ ଥିବା ବେଳେ ସର୍ବନିମ୍ନ ବେତନ ୧୬ ହଜାରକୁ ବୃଦ୍ଧି କରିଛନ୍ତି ଉତ୍ତର ପ୍ରଦେଶ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି ।
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜର ମହାକୁମ୍ଭରେ ପରିମଳ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ୧୦,୦୦୦ ଟଙ୍କା ବୋନସ ଘୋଷଣା କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ୟୁପି ସରକାର ଏପ୍ରିଲରୁ ସଫେଇ କର୍ମଚାରୀମାନଙ୍କୁ ସର୍ବନିମ୍ନ ୧୬,୦୦୦ ଟଙ୍କା ମଜୁରୀ ପ୍ରଦାନ କରିବେ । ଅସ୍ଥାୟୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟଙ୍କା ସିଧାସଳଖ ବ୍ୟାଙ୍କ ଜରିଆରେ ସ୍ଥାନାନ୍ତର କରାଯିବ ଏବଂ ସମସ୍ତଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବ ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାକୁମ୍ଭ ୨୦୨୫ର ସଫଳ ପରିଚାଳନା ଲାଗି ସଫେଇ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ସମ୍ମାନିତ କରିଛନ୍ତି । ପରେ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେଇ ସେମାନଙ୍କ ପ୍ରୟାସକୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ କ୍ୟାବିନେଟର ସଦସ୍ୟମାନେ ପ୍ରୟାଗରାଜର ଆରାଇଲ ଘାଟରେ ଏକ ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ‘ଏତେ ବିଶାଳ ସମାବେଶ ବିଶ୍ୱରେ କେବେ ବି ହୋଇ ନାହିଁ । ମୋଟ ୬୬ କୋଟି ୩୦ ଲକ୍ଷ ଭକ୍ତ ମହାକୁମ୍ଭରେ ସାମିଲ ହୋଇଥିଲେ । ଅପହରଣ, ଲୁଟ୍ କିମ୍ବା ଏପରି କୌଣସି ଅପରାଧ ଘଟି ନାହିଁ। ବିରୋଧୀ ଦଳ ମାଇକ୍ରୋସ୍କୋପ୍ ବ୍ୟବହାର କରି ମଧ୍ୟ ଏପରି ଗୋଟିଏ ବି ମାମଲା ପାଇଲେ ନାହିଁ ।’
ସେମାନେ ଭୁଲ ସୂଚନା ପ୍ରସାର କରିବାର କୌଣସି ସୁଯୋଗ ଛାଡିଲେ ନାହିଁ। କେବଳ ମୌନୀ ଅମାବାସ୍ୟାରେ ୮ କୋଟି ଭକ୍ତ ଏକାଠି ହୋଇଥିଲେ । କିନ୍ତୁ ବିରୋଧୀ ଦଳ ମିଥ୍ୟା ପ୍ରଚାର ଜାରି ରଖିଲେ ଏବଂ ଅସମ୍ମାନ ସୂଚକ ଭାଷା ବ୍ୟବହାର କଲେ ବୋଲି ଯୋଗୀ ଆଦିତ୍ୟନାଥ ଅଭିଯୋଗ କରିଥିଲେ ।