ନୂଆଦିଲ୍ଲୀ,୨୬।୬: କାର ଚଲାଇ ମହିଳାଙ୍କ ଆତଙ୍କ। ରେଲଓ୍ବେ ଟ୍ରାକ୍‌ରେ ସିଧା ପୁରାଇଲେ ପୁରାଇଲେ କାର,  ଦ୍ରୁତ ଗତିରେ ଚଳାଇଲେ। ରେଲଓ୍ବେ କର୍ମଚାରୀଙ୍କ ସହ ପୋଲିସ ଓ ସ୍ଥାନୀୟ ଲୋକଙ୍କୁ କଲେ ନାକେଦମ୍। ଏଭଳି ଏକ ଘଟଣା ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରୁ ଆସିଛି। ଉତ୍ତର ପ୍ରଦେଶର ଜଣେ ୩୪ ବର୍ଷୀୟ ମହିଳା ନିଜର କାରକୁ ରେଲଓ୍ବେ ଟ୍ରାକ୍‌ରେ ଚଳାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଘଟଣା ଶଙ୍କରପଲ୍ଲୀ ରେଲଓ୍ବେ ଷ୍ଟେସନ୍ ନିକଟରେ ଘଟିଛି। ବହୁ କଷ୍ଟରେ ପୋଲିସ ମହିଳାଙ୍କ କାରକୁ ରୋକି ତାଙ୍କୁ କାବୁ କରିଥିଲା। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରାୟ ୨୦ ଜଣ ଲୋକଙ୍କ ସାହାଯ୍ୟରେ ମହିଳାଙ୍କୁ କାରରୁ ବାହାର କରାଯାଇଥିଲା। ସେ ବିଲକୁଲ ବି ସହଯୋଗ କରୁନଥିଲେ। ହାତ ବାନ୍ଧି ଦେବାକୁ ସେ ଖୁବ୍ ରାଗି ଯାଇଥିଲେ। ଏପରିକି ସେ ଖୁବ୍ ଆକ୍ରାମକ ମଧ୍ୟ ଥିଲେ। ରେଲଓ୍ବେ ପୋଲିସ ଏସ୍‌ସି ଚନ୍ଦନା ଦୀପ୍ତି କହିଛନ୍ତି, ମହିଳା ଜଣକ ମାନସିକ ରୂପରେ ସନ୍ତୁଳିତ ଲାଗୁନଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ,ସେ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ କାମ କରୁଥିଲେ ଏବଂ ଉତ୍ତର ପ୍ରଦେଶରେ ତାଙ୍କ ଘର। ତଦନ୍ତ ବେଳେ ଆମେ ଜାଣିବାକୁ ପାଇଛୁ ଯେ, ସେ ଆତ୍ମହତ୍ୟା କରିବାର ଚେଷ୍ଟା କରୁଥିଲେ। ଆଉ ଏହାକୁ ହତ୍ୟାର ରୂପ ଦେବାକୁ ମଧ୍ୟ ଚାହୁଁଥିଲେ। 

ମହିଳାଙ୍କ ଏହି ଲଙ୍କାକାଣ୍ଡ ପରେ ୧୦ ରୁ ୧୫ ଟ୍ରେନ୍ ଉପରେ ଏହାର ପ୍ରଭାବ ପଡିଥିଲା। ଟ୍ରେନ୍‌ର ରୁଟ୍ ଡାଇଭର୍ଟ  କରାଯାଇଥିଳା। ତା ଭିତରେ ବେଙ୍ଗାଲୁର-ହାଇଦ୍ରାବାଦ ଏକ୍ସପ୍ରେସ୍ ମଧ୍ୟ ରହିଛି।  ଏହି ଟ୍ରେନ୍ ଗୁଡିକୁ ସୁରକ୍ଷା ଦୃଷ୍ଟିରୁ ଡାଇଭର୍ଟ କରାଯାଇଥିଲା। ରେଲଓ୍ବେ ଟ୍ରାକକୁ କିଛି ସମୟ ପାଇଁ ପୁରା ଭାବରେ ବନ୍ଦ କରିବାକୁ ପଡିଥିଲା। ମହିଳାଙ୍କ କାରରୁ ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ୍ କାର୍ଡ ଜବତ କରାଯାଛି। ଯାହାଫଳରେ ତାଙ୍କର ପରିଚୟ ଜଣାପଡିଛି। ବର୍ତ୍ତମାନ ମହିଳାଙ୍କୁ କଷ୍ଟଡିରେ ନିଆଯାଇ ମାମଲାର ଯାଞ୍ଚ କରାଯାଉଛି।