ନୂଆଦିଲ୍ଲୀ,୧୫/୦୭: କ୍ଷୁଦ୍ର ଷ୍ଟୋର ଗୁଡ଼ିକରେ ୟୁପିଆଇ ସ୍କାନର ଦ୍ୱାରା ପେମେଣ୍ଟ ଏବେ ସହଜ ହେଉଛି । ମାତ୍ର ବେଙ୍ଗାଲୁରୁ ଭଳି  ଦେଶର ବଡ଼ ସହରରେ ଏହାର ବ୍ୟତୀକ୍ରମ ଦେଖାଯାଉଛି । ଏଠାରେ ଛୋଟ ଦୋକାନୀମାନେ  ୟୁପିଆଇ ବ୍ୟବସ୍ଥାଠାରୁ ମୁହଁ ଫେରାଇ ନେଲେଣି । ଷ୍ଟୋର ଗୁଡ଼ିକରେ ଡିଜିଟାଲ ପେମେଣ୍ଟ ସ୍କାନର ପରିବର୍ତ୍ତେ ହାତ ଲେଖାଥିବା ନୋ ୟୁପିଆଇ ଓନଲି  କ୍ୟାସ୍‌ ବୋର୍ଡ ଦେଖାଯାଉଛି । ଜିଏସ୍‌ଟି ନୋଟିସ  ମିଳିବା ଯୋଗୁ ୟୁପିଆଇ ପ୍ଲାଟଫର୍ମକୁ ବ୍ୟବସାୟୀ ବାଦ ଦେଉଥିବା କୁହାଯାଉଛି ।  

ପୂର୍ବରୁ ବାଙ୍ଗାଲୋର ଡିଜିଟାଲ ପେମେଣ୍ଟ  କ୍ଷେତ୍ରରେ ଆଗରେ ଥିଲା । ମାତ୍ର ଏବେ ଏଭଳି  ଭିନ୍ନ ସ୍ଥିତି ଦେଖିବାକୁ ମିଳୁଛି । ଦୋକାନୀ ମାନେ ଗ୍ରାହକଙ୍କୁ କ୍ୟାଶ ଦିଅନ୍ତୁ ବୋଲି ମଧ୍ୟ ଅନୁରୋଧ  କରୁଛନ୍ତି । ଇଟି ପକ୍ଷରୁ ହୋଇଥିବା ଏକ ସର୍ଭେ  ମୁତାବକ, ଦୋକାନୀ ମାନେ ୟୁପିଆଇ ବ୍ୟବହାର  ଛାଡିଛନ୍ତି କିମ୍ବା ଏହି ଆପ୍‌ ବ୍ୟବହାର କମ୍‌  କରୁଛନ୍ତି । ଅଧିକାଂଶ ବ୍ୟବସାୟୀ ଜିଏସ୍‌ଟି ଡିମାଣ୍ଡ  ନୋଟିସ ପାଉଥିବାରୁ ଅନଲାଇନ ପେମେଣ୍ଟ  ଆପ୍‌ ଛାଡୁଥିବା ଦେଖାଯାଉଛି । ବେଙ୍ଗାଲୁରୁରର  ଶଙ୍କର ନାମକ ଜଣେ ବ୍ୟବସାୟୀ କହିଛନ୍ତି,  ଦିନକୁ ୩ ହଜାର ଟଙ୍କାର କାରବାର କରୁଛି ।  ଏଥିରୁ ଲାଭ କିଞ୍ଚିତ ବାହାରିଥାଏ । ୟୁପିଆଇ  ଗ୍ରହଣ କରିହେବନି । ବେଙ୍ଗାଲୁରୁ ଉଠାଦୋକାନୀ  ମହାସଂଘର ଯୁଗ୍ମ ସମ୍ପାଦକ ବିନୟ କୁମାର  ଶ୍ରୀନିବାସ କହିଛନ୍ତି, ଜିଏସ୍‌ଟି ଅଧିକାରୀଙ୍କ ଭୟ  ଯୋଗୁ ଦୋକାନୀ ମାନେ ୟୁପିଆଇ ଛାଡୁଛନ୍ତି ।  

ଜିଏସ୍‌ଟି ନିୟମ ଅନୁସାରେ ବାର୍ଷିକ ୪୦  ଲକ୍ଷର ସାମଗ୍ରୀ ଏବଂ ୨୦ ଲକ୍ଷର ସେବା ଯୋଗାଣ କରୁଥିଲେ ଟିକସ ଦେବାକୁ ପଡ଼ିବ । ବାଣିଜ୍ୟିକ ଟିକସ ବିଭାଗ ମୁତାବକ, ୨୦୨୧-୨୨ର ୟୁପିଆଇ  ନେଣଦେଣରେ କାରବାର ସୀମା ଆଧାରରେ ଡିମାଣ୍ଡ  ନୋଟିସ ପଠାଯାଇଛି । ବ୍ୟବସାୟୀ ମାନେ ଜିଏସ୍‌ଟି  ପଞ୍ଜୀକରଣ ନେବା ସହ ଟିକସ ଭରିବା ଆବଶ୍ୟକ ।