ନୂଆଦିଲ୍ଲୀ, ୩୦।୬: ସିଭିଲ୍ ସର୍ଭିସେସ୍ ବା ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲକ୍ଷ ଲକ୍ଷ ଆଶାୟୀଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶର ଲଖିମପୁର ଖେରିର ବାସିନ୍ଦା ବିରଲ ଶର୍ମା ପୂର୍ବରୁ UPSC ଏବଂ ୟୁପି ପ୍ରଶାସନିକ ସେବା ପରୀକ୍ଷା(UPPCS) ର ଅନ୍ତିମ ଚୟନ ତାଲିକାରେ ସ୍ଥାନ ପାଇବାରେ ବିଫଳ ହୋଇଥିଲେ । ମାତ୍ର ସେ ଏଥିରେ ଭାଙ୍ଗି ନପଡ଼ି ନିଜର ପ୍ରସ୍ତୁତି ଜାରି ରଖିଥିଲେ । ଯାହାର ସୁଫଳ ସ୍ବରୂପ ସେ ଏବେ ଉଭୟ ଉତ୍ତରାଖଣ୍ଡ PCS ଏବଂ ବିହାର PCS ପରୀକ୍ଷାରେ ଚମତ୍କାର ର‍୍ୟାଙ୍କ ହାସଲ କରି ସଫଳତାର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ।

ବିରଲ ଶର୍ମା ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲ୍ଲାର ବେଲୱା ମୋତି ଗାଁର ବାସିନ୍ଦା । ବର୍ତ୍ତମାନ ତାଙ୍କ ପରିବାର ସହରର ରାଜାଜୀପୁରମ୍ ଅଞ୍ଚଳରେ ରହୁଛନ୍ତି । ତାଙ୍କ ପିତା ବଳରାମ ଶର୍ମା ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ମାତା କୁସୁମ ଲତା ଶର୍ମା ଜଣେ ଗୃହିଣୀ । ବିରଲ ପିଲାଟିଦିନୁ ହିଁ ପାଠପଢ଼ାରେ ବେଶ୍ ମେଧାବୀ ଥିଲେ । ସେ ହାଇସ୍କୁଲ ଏବଂ ଇଣ୍ଟରମିଡିଏଟ୍ ଉଭୟ ପରୀକ୍ଷାରେ ଟପ୍ପର ହୋଇଥିଲେ । ଏହାପରେ ସେ ପ୍ରତିଷ୍ଠିତ NIT ଆଲ୍ଲାହାବାଦରୁ ମେକାନିକାଲ୍ ଇଞ୍ଜିନିୟରିଂ ଶେଷ କରି ରାଜସ୍ଥାନର ଅଲୱାରରେ ପ୍ରାୟ ୩ ବର୍ଷ ଚାକିରି କରିଥିଲେ । କିନ୍ତୁ, ପ୍ରଶାସନିକ ଅଧିକାରୀ ହେବାର ସ୍ୱପ୍ନ ଯୋଗୁଁ ସେ ୨୦୨୩ ମସିହାରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବେ ସିଭିଲ୍ ସର୍ଭିସେସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । 

ଏହା ବି ପଢ଼ନ୍ତୁ... Loan Fraud Case: ଘର ଭଡ଼ା ଦେବା ପଡ଼ିଲା ମହଙ୍ଗା, ମାଲିକାଣିଙ୍କ ନାଁରେ ୧୮ କୋଟି ଲୋନ୍ କରି ଚମ୍ପଟ୍ ମାରିଲା ଭଡ଼ାଟିଆ

ବିନା କୋଚିଂରେ ଗାଁରେ ରହି ପ୍ରସ୍ତୁତି:

ବିରଲଙ୍କ ସଫଳତାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ସେ କୌଣସି ବଡ଼ କୋଚିଂ ସେଣ୍ଟରର ସାହାଯ୍ୟ ନେଇନାହାନ୍ତି । ସେ ନିଜ ଗାଁରେ ରହି ହିଁ ଅଧିକାଂଶ ପଢ଼ାପଢ଼ି କରିଥିଲେ । ପରୀକ୍ଷା ଦେବା ପାଇଁ ସେ ବିଭିନ୍ନ ରାଜ୍ୟକୁ ଯାତ୍ରା କରୁଥିଲେ । ଉତ୍ତରାଖଣ୍ଡ PCS ପାଇଁ ହରିଦ୍ୱାର, UPPCS ପାଇଁ ପ୍ରୟାଗରାଜ ଏବଂ ବିହାର PCS ପାଇଁ ପାଟନା ଓ କିଷନଗଞ୍ଜ ପର୍ଯ୍ୟନ୍ତ ସେ ଯାତ୍ରା କରିଥିଲେ । ବିରଲଙ୍କ ମୂଳ ଲକ୍ଷ୍ୟ ଥିଲା UPSC ପାସ୍ କରିବା । ସେ ନିଜର କଠିନ ପରିଶ୍ରମ ବଳରେ UPSC ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଥିଲେ, କିନ୍ତୁ ଶେଷ ମେରିଟ୍ ଲିଷ୍ଟରେ ତାଙ୍କ ନାଁ ଆସିପାରିନଥିଲା । ଏହାପରେ ଉତ୍ତର ପ୍ରଦେଶ ସିଭିଲ୍ ସର୍ଭିସେସ୍ (UPPCS) ପରୀକ୍ଷାରେ ମଧ୍ୟ ସେ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ଯାଇ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲେ । ଦୁଇ ଦୁଇଟି ବଡ଼ ଅସଫଳତା ସତ୍ତ୍ୱେ ସେ ଧୈର୍ଯ୍ୟ ହରାଇନଥିଲେ । ଲଗାତାର ପରିଶ୍ରମର ଫଳ ଶେଷରେ ବିରଲଙ୍କୁ ମିଳିଛି । ଏହି ପରୀକ୍ଷାରେ ବିରଲ ୭ମ ର‍୍ୟାଙ୍କ ହାସଲ କରିଛନ୍ତି ଏବଂ ସେ ଡେପୁଟି କଲେକ୍ଟର ପଦ ପାଇଁ ମନୋନୀତ ହୋଇଛନ୍ତି । ଏଠାରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରି ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (CDPO) ପଦ ପାଇଁ ୭ମ ର‍୍ୟାଙ୍କ ଏବଂ ବ୍ଲକ୍ ଡେଭଲପମେଣ୍ଟ ଅଫିସର (BDO) ପଦ ପାଇଁ ୧୬ତମ ର‍୍ୟାଙ୍କ ହାସଲ କରିଛନ୍ତି ।

ବିରଲ ତାଙ୍କ ସଫଳତାର ଶ୍ରେୟ ଅନୁଶାସିତ ପ୍ରସ୍ତୁତିକୁ ଦେଇଛନ୍ତି । ସେ ପ୍ରାୟ ୩୦ ରୁ ୩୫ ବର୍ଷର ପୁରୁଣା ପ୍ରଶ୍ନପତ୍ର ଅଭ୍ୟାସ କରୁଥିଲେ । ସିଲାବସର ପ୍ରତ୍ୟେକ ବିଷୟ ପାଇଁ ଗୋଟିଏ ପେଜ୍‌ର ସଂକ୍ଷିପ୍ତ ନୋଟ୍ସ ପ୍ରସ୍ତୁତ କରି ନିୟମିତ ରିଭିଜନ୍ କରୁଥିଲେ ଏବଂ ପ୍ରତି ବିଷୟ ପାଇଁ କେବଳ ଗୋଟିଏ ଷ୍ଟାଣ୍ଡାର୍ଡ ବହି ଉପରେ ଭରସା ରଖିଥିଲେ । ଦୁଇ ଦୁଇଟି ରାଜ୍ୟରେ ଶୀର୍ଷ ର‍୍ୟାଙ୍କ ପାଇବା ପରେ ମଧ୍ୟ ବିରଲଙ୍କ ସ୍ୱପ୍ନ ଏତିକିରେ ସରିନାହିଁ । ତାଙ୍କର ଚୂଡ଼ାନ୍ତ ଲକ୍ଷ୍ୟ ହେଉଛି UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାସ୍ କରିବା । ବର୍ତ୍ତମାନ ସେ UPSC ୨୦୨୬ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ବିରଲଙ୍କ ମତରେ "ଅସଫଳତା କୌଣସି ଯାତ୍ରାର ଶେଷ ନୁହେଁ, ବରଂ ସେଥିରୁ କିଛି ଶିକ୍ଷା ଗ୍ରହଣ କରି ଆଗକୁ ବଢ଼ିବା ହିଁ ପ୍ରକୃତ ସଫଳତା ।" ତାଙ୍କର ଏହି ସଂଘର୍ଷର କାହାଣୀ ଆଜି ସାରା ଦେଶର ଆଶାୟୀଙ୍କ ପାଇଁ ଏକ ବଡ଼ ପ୍ରେରଣା ସାଜିଛି ।