ମାଲକାନଗିରି, ୯/୧୦ : ଜିଲ୍ଲା ଭିତ୍ତିକ ନିଯୁକ୍ତି ଓ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା ପାଇଁ ଜିଲ୍ଲା ଏସସି/ଏସଟି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜରୁରୀ ବୈଠକ ଡକାଯାଇ ଆଗାମୀ ଦିନର କାର୍ଯ୍ୟ ପନ୍ଥା ନେଇ ଆଲୋଚନା କରାଯାଇଛି । ମାଲକାନଗିରି ଜିଲ୍ଲା ଏସସି/ ଏସଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ଜାରାଶବର ମାଡିଙ୍କ ଅଧ୍ୟକ୍ଷତାରେ ଜରୁରୀକାଳୀନ ବୈଠକ ମାଲକାନଗିରି ସଦର ମହାକୁମା ସ୍ଥିତ କୁମୁଟିଗୁଡା ଆଦିବାସୀ କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି ।
ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ ଚାକିରୀରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବାକୁ ଦାବି କରି ଚଳିତ ମାସ ଚାରି ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି, ଅବିଭକ୍ତ କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀମାନେ ଅଗ୍ରଣୀ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଟକ୍କର ଦେବା ସମ୍ଭବ ପର ନୁହଁ। ତେଣୁ ଗ୍ରୁପ - ସି ଏବଂ ଗ୍ରୁପ - ଡ଼ି ପଦବୀ ନିଯୁକ୍ତିରେ ଜିଲ୍ଲା ଭିତ୍ତିକ ୨୦୧୩ ମସିହା ପରଠାରୁ ସଂଗଠନ ପକ୍ଷରୁ ଦାବି କରାଯାଉଛି।
ପଡୋଶୀ ଆନ୍ଧ୍ର ଏବଂ ତେଲେଙ୍ଗାନାରେ ମଧ୍ୟ ଉକ୍ତ ପଦପଦବୀଗୁଡିକ ରାଜ୍ୟ ଭିତ୍ତିକ ନ କରି ଜୋନ ଭିତ୍ତିକ କରିଛନ୍ତି। ଏଣୁ ରାଜ୍ୟ ସରକାର ଗ୍ରୁପ - ସି ଏବଂ ଗ୍ରୁପ - ଡ଼ି ପଦପଦବିଗୁଡିକ ଜିଲ୍ଳା ଭିତ୍ତିକ କିମ୍ବା ଜୋନ ଭିତ୍ତିକ ନ କରନ୍ତି, ତା'ହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆମେ ସଙ୍ଘଠିତ ହୋଇ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ରାଜ୍ୟ କିମ୍ବା ୟୁନିଅନ ଟେରିଟରି ଅଫ ଷ୍ଟେଟ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆଜି ସଭାରେ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଛି। ଆଜିର ଏ ବୈଠକରେ କ୍ରିୟାନୁଷ୍ଠାନ କମିଟିର ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ଓ ଘନଶ୍ୟାମ ମାଡକାମୀ, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପ ସଭାପତି ବି.କାମେଶ୍ୱର ରାଓ ଘେନୁ ମୁଦୁଲି, ସହ ସମ୍ପାଦକ ଉମେଶ ଜାନିଙ୍କ ସମେତ ଶତାଧିକ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀମାନେ ଏ ବୈଠକରେ ଯୋଗଦେଇ ଆଲୋଚନା ରେ ଭାଗ ନେଇ ଥିଲେ।