ମୁମ୍ବାଇ ୩୦/୦୫: ଖବରରେ ରହିବାର ଟ୍ରିକ୍‌ ବେଶ ଭଲଭାବେ ଜାଣନ୍ତି ଉର୍ବଶୀ ରୌତେଲା । ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ରେ ଦାବି କରିଛନ୍ତି, ହଲିଉଡ୍‌ ଷ୍ଟାର୍‌ ଲିଓନାର୍ଡୋ ଡିକାପ୍ରିଓ ତାଙ୍କୁ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ର କୁଇନ୍‌ କହିଥିଲେ । ଲିଓନାର୍ଡୋଙ୍କ ସହ ନିଜର ଏକ ସେଲ୍‌ଫି ପୋଷ୍ଟ୍‌ କରି ସେ ଏହି ଦାବି କରିଛନ୍ତି । ଗୁରୁବାର ଉର୍ବଶୀ ଏକ ପୁରୁଣା ସେଲ୍‌ଫି ଶେୟାର କରିଥିଲେ, ଯେଉଁଥିରେ ସେ ହଲିଉଡ୍‌ ଷ୍ଟାର୍‌ ଲିଓନାର୍ଡୋଙ୍କ ସହ ନଜର ଆସିଛନ୍ତି । ଫଟୋଟି ୨୦୨୨ରେ ଉଭୟଙ୍କ ସାକ୍ଷାତର । 

ଫଟୋ ସହିତ ଉର୍ବଶୀ କ୍ୟାପ୍‌ସନ ଲେଖିଛନ୍ତି ‘ଯେତେବେଳେ ଲିଓନାର୍ଡୋ ଡିକାପ୍ରିଓ ତୁମକୁ କାନ୍‌ର ରାଣୀ କହନ୍ତି! ଧନ୍ୟବାଦ ଲିଓ.. ଏହା ଏକ ଟାଇଟାନିକ୍‌ କମ୍ପ୍ଲିମେଣ୍ଟ୍‌ ।’ ଏହି ପୋଷ୍ଟ୍‌ ପାଇଁ ୟୁଜର୍‌ ଉର୍ବଶୀଙ୍କୁ ଖୁବ୍‌ ଥଟ୍ଟା କରୁଛନ୍ତି । ତେବେ ପ୍ରଥମ ଥର ଉର୍ବଶୀ ଲିଓନାର୍ଡୋଙ୍କୁ ନେଇ ଏଭଳି ଦାବି କରିନାହାନ୍ତି । ୩ ବର୍ଷ ତଳେ ମଧ୍ୟ କାନ୍‌ରେ ତାଙ୍କ ଉପସ୍ଥିତିକୁ ନେଇ ଲିଓନାର୍ଡୋ କମ୍ପ୍ଲିମେଣ୍ଟ୍‌ ଦେଇଥିଲେ ବୋଲି ଉର୍ବଶୀ କହିଥିଲେ । ଲିଓନାର୍ଡୋ ତାଙ୍କୁ ଜଣେ ପ୍ରତିଭାସମ୍ପନ୍ନ ଅଭିନେତ୍ରୀ କହିଥିଲେ ବୋଲି ଉର୍ବଶୀ ଲେଖିଥିଲେ । ଏଥିପାଇଁ ତାଙ୍କୁ ଖୁବ୍‌ ଟ୍ରୋଲ୍‌ କରାଯାଇଥିଲା ।