ନୂଆଦିଲ୍ଲୀ: ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାଟାନ୍ଜ ଏବଂ ଇସଫାହାନ ଉପରେ ଶନିବାର ରାତିରେ ଏକ ବଡ଼ ଧରଣର ବିମାନ ଆକ୍ରମଣ କରିଛି। ଯାହାର ନାମ ଦିଆଯାଇଛି "ଅପରେସନ ମିଡନାଇଟ ହାମର"। ଏହି ଅଭିଯାନ ମାତ୍ର ୨୫ ମିନିଟରେ ସମ୍ପନ୍ନ ହୋଇଥିଲା ଏବଂ ଏଥିରେ ୧୨୫ରୁ ଅଧିକ ବିମାନ ଏବଂ ସାତୋଟି ସ୍ଟେଲଥ ବି-୨ ବୋମାବର୍ଷଣକାରୀ ବିମାନ ସାମିଲ ଥିଲେ। ପେଣ୍ଟାଗନର ଶୀର୍ଷ ଜେନେରାଲ ଡାନ କେନ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ହମଲାରେ ୧୪ଟି ୩୦,୦୦୦ ପାଉଣ୍ଡ ଓଜନର ମାସିଭ ଅର୍ଡନାନ୍ସ ପେନେଟ୍ରେଟର (ଏମଓପି) ବଙ୍କର ବଷ୍ଟର ବୋମା ଏବଂ ୨୪ରୁ ଅଧିକ ଟୋମାହକ କ୍ରୁଜ ମିସାଇଲ ବ୍ୟବହାର କରାଯାଇଛି।
ସୂଚନା ମୁତାବକ, ଶୁକ୍ରବାର ମଧ୍ୟରାତ୍ରିରୁ ଶନିବାର ସକାଳ ପର୍ଯ୍ୟନ୍ତ ବି-୨ ବୋମାରୁ ଗୋଟିଏ ଦଳ ପଶ୍ଚିମ ଦିଗରେ ପ୍ୟାସିଫିକ ମହାସାଗର ଆଡ଼କୁ ଉଡ଼ାଣ ଭରିଥିଲେ। ଯାହା ଇରାନର ଧ୍ୟାନ ଆକର୍ଷଣ କରିବା ପାଇଁ ଏକ ଡିକୟ (ପ୍ରତାରଣା) ଥିଲା। ଏହି ଯୋଜନା କେବଳ ମୁଷ୍ଟିମେୟ ଯୋଜନାକାରୀ ଏବଂ ନେତାଙ୍କୁ ଜଣାଥିଲା। ମୁଖ୍ୟ ଆକ୍ରମଣ ଦଳ, ଯେଉଁଥିରେ ସାତୋଟି ବି-୨ ସ୍ପିରିଟ ବୋମାବର୍ଷଣକାରୀ ବିମାନ ଥିଲେ, ୧୮ ଘଣ୍ଟାର ନିଶ୍ଚିତ ଉଡ଼ାଣ ପରେ ପୂର୍ବ ଦିଗକୁ ଅଗ୍ରସର ହୋଇଥିଲା।
ଆକ୍ରମଣର ସମୟସୀମା:
ସନ୍ଧ୍ୟା ୫ଟା (ସ୍ଥାନିୟ ସମୟ): ଆମେରିକୀୟ ସବମାରିନରୁ ଇସଫାହାନରେ ଥିବା ପରମାଣୁ କେନ୍ଦ୍ରର ମୁଖ୍ୟ ଭିତ୍ତିଭୂମି ଲକ୍ଷ୍ୟସ୍ଥଳ ଉପରେ ୨୪ରୁ ଅଧିକ ଟୋମାହକ ମିସାଇଲ ଉତକ୍ଷେପଣ କରାଯାଇଥିଲା।
ସନ୍ଧ୍ୟା ୬:୪୦ (ସ୍ଥାନିୟ ସମୟ): ମୁଖ୍ୟ ବି-୨ ବୋମାବର୍ଷଣକାରୀ ଫୋର୍ଡୋ ପରମାଣୁ କେନ୍ଦ୍ରରେ ଦୁଇଟି ଏମଓପି ବୋମା ପକାଇଥିଲେ। ଅନ୍ୟ ବୋମାବର୍ଷଣକାରୀମାନେ ନାଟାନ୍ଜ ଏବଂ ଇସଫାହାନରେ ଲକ୍ଷ୍ୟସ୍ଥଳକୁ ଟାର୍ଗେଟ କରିଥିଲେ।
ସନ୍ଧ୍ୟା ୭:୦୫ (ସ୍ଥାନିୟ ସମୟ): ସମସ୍ତ ଆମେରିକୀୟ ବିମାନ ଇରାନୀ ବାୟୁସୀମାରୁ ନିରାପଦରେ ବାହାରି ଯାଇଥିଲେ।
ଆମେରିକୀୟ ଅଧିକାରୀମାନେ ଦାବି କରିଛନ୍ତି ଯେ ଇରାନର ପରମାଣୁ କାର୍ଯ୍ୟକ୍ରମ ସସ୍ଥାନ ଗୁଡିକ ଏହି ଆକ୍ରମଣରେ "ଧ୍ୱଂସ" ହୋଇଯାଇଛି। ଇରାନର ସର୍ଫେସ-ଟୁ-ଏୟାର ମିସାଲ ସିଷ୍ଟମ ଆମେରିକୀୟ ବିମାନକୁ ଚିହ୍ନଟ କରିପାରି ନଥିଲା। ତେବେ, ଇରାନ ଦାବି କରିଛି ଯେ ତାଙ୍କ ପରମାଣୁ କେନ୍ଦ୍ରଗୁଡ଼ିକରେ କ୍ଷୟକ୍ଷତି ସୀମିତ ରହିଛି କାରଣ ଏହି ଆକ୍ରମଣ ପୂର୍ବରୁ ଏହି ଅପରେସନ ସହ ଜଡିତ ସମସ୍ତ ସମଗ୍ରୀର ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ଅନ୍ୟପଟେ ଆମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଆକ୍ରମଣକୁ "ସଫଳ" ବୋଲି ଘୋଷଣା କରିଛନ୍ତି। ପରୀଖିଆ ମନ୍ତି ପେଟ ହେଗସେଥ କହିଛନ୍ତି ଯେ, ଏହି ଆକ୍ରମଣ ଇରାନର ପରମାଣୁ ଆଭିମୁଖ୍ୟକୁ "ନଷ୍ଟ" କରିଦେଇଛି।
ଇସ୍ରାଏଲ ଗତ ଜୁନ ୧୩ ତାରିଖରେ "ଅପରେସନ ରାଇଜିଂ ଲାୟନ" ଆରମ୍ଭ କରି ଇରାନର ବାୟୁ ପ୍ରତିରକ୍ଷା ଏବଂ ମିସାଇଲ ଭିତ୍ତିଭୂମି ଉପରେ ହମଲା କରିଥିଲା। ଏହାପରେ ଇରାନ ପ୍ରତିଶୋଧରେ ଇସ୍ରାଏଲ ଉପରେ ମିସାଇଲ ଏବଂ ଡ୍ରୋନ ଆକ୍ରମଣ ଆରମ୍ଭ କରିଥିଲା। ଆମେରିକାର ଏହି ଆକ୍ରମଣ ଏହି ଚଳିତ ସଂଘର୍ଷରେ ଏକ ନିଷ୍ପତ୍ତିମୂଳକ ପଦକ୍ଷେପ ଅଟେ।
ଏହାର ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଇରାନର ପ୍ରତିକ୍ରିୟା ଏବଂ ଏହାର ସମ୍ଭାବ୍ୟ ପରିଣାମ ଉପରେ ସମଗ୍ର ବିଶ୍ବର ନଜର ରହିଛି।