ୱାଶିଂଟନ୍‌, ୨୩/୧୨: ଆମେରିକୀୟ ନୌସେନା ରବିବାର ଲୋହିତ ସାଗରରେ ନିଜର ଯୁଦ୍ଧବିମାନକୁ ମିସାଇଲ ମାଡ଼ କରି ତାହାକୁ ଖସାଇ ଦେଇଛି । ହୁତୀ ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍‌ ବେଳେ ଭୁଲ୍‌ବଶତଃ ଆମେରିକାର ନୌସେନା ବିମାନକୁ ମିସାଇଲ ମାଡ଼ କରିଥିଲା । ବିମାନରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଭାବେ  ବାହାରି ଆସିଥିଲେ । ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି । 

ଆମେରିକାର  ସେଣ୍ଟ୍ରାଲ କମାଣ୍ଡ ପକ୍ଷରୁ କୁହାଯାଇଛି, ଏହି ଘଟଣା ଭୁଲ୍‌ରେ ହୋଇଛି ।  ଏଥିରେ ଏଫ୍‌/ଏ-୧୮ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି  ୟୁଏସ୍‌ଏସ୍‌ ହ୍ୟାରୀ ଏସ୍‌ ଟ୍ରୁମ୍ୟାନ ଏୟାରକ୍ରାଫ୍ଟ କ୍ୟାରିୟରରେ ଉଡ଼ାଣ  ଭରିଥିଲା । ଉଡ଼ାଣ ପରେ ୟୁଏସ୍‌ଏସ୍‌ ଗୋଟିସ୍‌ବର୍ଗ ମିସାଇଲ କ୍ରୁଜର  ଭୁଲ୍‌ରେ ବିମାନ ଉପରେ ଆକ୍ରମଣ କରିଥିଲା । ୟୁଏସ୍‌ଏସ୍‌ ଗୋଟିସ୍‌ବର୍ଗ  ଆମେରିକାର ଏକ ଗାଇଡେଡ୍‌ ମିସାଇଲ କ୍ରୁଜର । 

ଶନିବାର ବିଳମ୍ବିତ ରାତିରେ ୟେମେନ୍‌ ରାଜଧାନୀ ସନାରେ ଆମେରିକା ସେନା ଏୟାରଷ୍ଟ୍ରାଇକ୍‌  କରି ବିଦ୍ରୋହୀଙ୍କ ଠିକଣାକୁ ଟାର୍ଗେଟ କରିଥିଲା । ଏଥିରେ ହୁତୀ ବିଦ୍ରୋହୀଙ୍କ ମିସାଇଲ ଷ୍ଟୋରେଜ ସେଣ୍ଟର ଏବଂ କମାଣ୍ଡ ସେଣ୍ଟରକୁ  ଟାର୍ଗେଟ କରାଯାଇଥିଲା । ହୁତୀ ବିଦ୍ରୋହୀଙ୍କ ଆକ୍ରମଣକୁ ରୋକିବା  ପାଇଁ ଦକ୍ଷିଣ ଲୋହିତ ସାଗର, ବାବ୍‌ ଏଲ୍‌-ମାନ୍ଦେବ ଏବଂ ଆଦେନ  ଉପସାଗରୀୟ କ୍ଷେତ୍ରରେ ଆମେରିକା ସେନା ଏୟାରଷ୍ଟ୍ରାଇକ୍‌ କରିଥିବା  କହିଛି । ଆକ୍ରମଣରେ ଆମେରିକା ହୁତୀ ବିଦ୍ରୋହୀଙ୍କ କେତେକ ଡ୍ରୋନ୍‌  ଏବଂ ଏକ କ୍ରୁଜ୍‌ ମିସାଇଲକୁ ମଧ୍ୟ ଖସାଇ ନଷ୍ଟ କରିଛି ।