ନୂଆଦିଲ୍ଲୀ: ଆମେରିକା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶିକା ତୁଳସି ଗବ୍ବାର୍ଡ ବର୍ତ୍ତମାନ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହି ପରିପ୍ରେକ୍ଷିରେ ଭାରତ ଉପରେ ହେଉଥିବା ପାକିସ୍ତାନ ସମର୍ଥିତ ଆକ୍ରମଣ ସମ୍ପର୍କରେ ତାଙ୍କୁ ପଚରାଯିବା ସମୟରେ ସେ ଏନେଇ ଏକ ବିସ୍ପୋରକ ବୟାନ ପ୍ରଦାନ କରିଛନ୍ତି। ସେ ଏହାକୁ ଇସଲାମିୟ ଆତଙ୍କବାଦ ବୋଲି କହି ଅଭିହିତ କରିଛନ୍ତି। ଏହି ଆତଙ୍କବାଦ ଉଭୟ ଆମେରିକା ଓ ଭାରତ ସହ ଅନେକ ଦେଶ ଓ ମଧ୍ୟପ୍ରାଚ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଛି। ତେବେ ପିଏମ ମୋଦି ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହା ଉପରେ ସାଙ୍ଗ ହୋଇ କାମ କରୁଛନ୍ତି ବୋଲି ସେ କହିଛନ୍ତି। 

ଖବର ମୁତାବକ, ତିନିଦିନିଆ ଭାରତ ଗସ୍ତରେ ଆସିଥିବା ଗବ୍ବାର୍ଡ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ଏହାପରେ ଉଭୟ ନେତା ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଅନେକ ସମୟ ଧରି ଆଲୋଚନା କରିଥିଲେ। ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ସରିବା ପରେ ଗବ୍ବାର୍ଡ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ। ଏହି ସାକ୍ଷାତକାରରେ ଗାବ୍ବାର୍ଡଙ୍କୁ “ପାକିସ୍ତାନ ପକ୍ଷରୁ ଭାରତ ଉପରେ ହେଉଥିବା ଆତଙ୍କୀ ଆକ୍ରମଣକୁ ଟ୍ରମ୍ପ ପ୍ରଶାସନ କେଉଁ ନଜରରେ ଦେଖେ” ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଆମେରିକା ଇସଲାମିୟ ଆତଙ୍କବାଦ ଉପରେ କଡା ନଜର ରଖିଛି ଓ ଏହା ଉପରେ କାମ କରୁଛି ବୋଲି ସେ କହିଥିଲେ। 



ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଗବ୍ବାର୍ଡ ନିଜ ଜୀବନର ଅନେକ କଥା ସେୟାର କରିଛନ୍ତି। ଜଣେ ହିନ୍ଦୁ ଭାବେ ତାଙ୍କ ଆଧ୍ୟାତ୍ମିକ ଜାବନ ସାଙ୍ଗକୁ ସେ ଗୀତା ପଢିବା ଦ୍ୱାରା ତାଙ୍କ ଜୀବନ କିପରି ସହଜ ଓ ସୁନିଦର ହୋଇପାରିଛି ସେ ଏହା ବିଷୟରେ ମଧ୍ୟ କହିଛନ୍ତି। ଏହା ସହ ସେ ପ୍ରତିଦିନ କୃଷ୍ଣଙ୍କ ନୁଖ ନିସୃତ ଗୀତା ଶୁଣନ୍ତି ବୋଲି ସେ ଏହି ସାକ୍ଷାତକାରରେ କହିଛନ୍ତି।

ଅନ୍ୟପଟେ ଆଜି ଗବ୍ବାର୍ଡ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବା ବେଳେ ଦୁଇ ନେତାଙ୍କ ମଧ୍ୟରେ ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା। ଏହି ଅବସରରେ ଆମେରିକାରେ ଖଲିସ୍ତାନ ସମର୍ଥକ ଗୋଷ୍ଚିଙ୍କ ଦ୍ୱାରା ଚାଲୁଥିବା ଏସଏଫଜେ(ସିଖ୍ ଫର ଜଷ୍ଟିସ୍)ର ଭାରତ ବିରୋଧି କାର୍ଯ୍ୟକଳାପ ବିଷୟରେ ରାଜନାଥ ସିଂ ଗବ୍ବାର୍ଡଙ୍କ ସହ ଆଲୋଚନା କରିଥିଲେ। ଏହା ସହ ଏହି ଅସାମ୍ୱଧାନିକ ସଂଗଠନ ପାଇଁ ଆମେରିକାକୁ କଡା ପଦକ୍ଷେପ ଗ୍ରହଣ କରିବାକୁ ରାଜନାଥ ସିଂ ଆମେରିକାକୁ ଅନୁରୋଧ କରିଥିଲେ ବୋଲି ଖବର ସରବରାହ ସଂସ୍ଥା ଏଏନଆଇ ରିପୋର୍ଟ ପ୍ରକାଶ କରିଛି। 

ଆମେରିକା ସରକାରଙ୍କ ବିଭିନ୍ନ ଦେଶ ଗସ୍ତ କାର୍ଯ୍ୟକ୍ରମ ଅଧିନରେ ଗାବ୍ବାର୍ଡ ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ରହିଛନ୍ତି। ଆମେରିକା ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶିକା ପଦରେ ବସିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ତେବେ ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ରାଇସିନା ଡାଇଲଗରେ ଯୋଗ ଦେବା ପରେ ସେ ତାଙ୍କ ଏସିଆ ଗ୍ରସ୍ତ ଶେଷ କରିବେ ବୋଲି ଜଣାପଡିଛି। ଅନ୍ୟପଟେ ଗବ୍ବାର୍ଡ ଭାରତର ଗାରିମାମୟ ସଂସ୍କୃତି ସହ ଭାରତୀୟ ଖାଦ୍ୟ ତାଙ୍କୁ ବହୁତ ଖୁସି ପ୍ରଦାନ କରୁଛି ବୋଲି ସେ କହିଛନ୍ତି।